ଭୁବନେଶ୍ୱର,ଏନ୍ଏନ୍ଏସ୍: ପଶ୍ଚିମ ଓଡ଼ିଶାର ବିକାଶକୁ ରାଜ୍ୟ ସରକାର ନିଜର ୨୦ ବର୍ଷ ଶାସନ ଭିତରେ ସର୍ବାଧିକ ଅବହେଳା ପ୍ରଦର୍ଶନ କରିଆସିଛନ୍ତି ବୋଲି ବିଜେପି ଅଭିଯୋଗ କରିଛି । ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ ସିଏଜି ରିପୋର୍ଟକୁ ଉଲ୍ଲେଖ କରି ରାଜ୍ୟବାସୀ ପଶ୍ଚିମ ଓଡ଼ିଶାବାସୀଙ୍କୁ ଧୋକା ଦେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି । ପଶ୍ଚିମ ଓଡ଼ିଶା ବିକାଶ ପରିଷଦ କାର୍ଯ୍ୟ ସଠିକ୍ ଭାବେ ହୋଇପାରୁନଥିବା ଯୋଗୁଁ ରାଜ୍ୟ ସରକାର ଏହାକୁ ନିଜ ନିୟନ୍ତ୍ରଣରେ ନରଖି ଏହାକୁ ସ୍ୱୟଂଶାସିତ ବିକାଶ ପରିଷଦର ମାନ୍ୟତା ଦେବା ସହ ପଶ୍ଚିମ ଓଡ଼ିଶାର ଅନୁଦାନକୁ ପ୍ରତିବର୍ଷ ୧ ହଜାର କୋଟିକୁ ବୃଦ୍ଧି କରନ୍ତୁ । ସେହିପରି ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ମୁଖ୍ୟ କାର୍ଯ୍ୟାଳୟକୁ ପଶ୍ଚିମ ଓଡ଼ିଶାର ଯେ କୌଣସି ସ୍ଥାନରେ କରିବା ପାଇଁ ସେ ଦାବି କରିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପୁରୋହିତ କହିଛନ୍ତି ଯେ ସିଏଜି ରିପୋର୍ଟ ରାଜ୍ୟ ସରକାରଙ୍କ ମୁଖା ଖୋଲିଦେଇଛି । ରାଜ୍ୟ ସରକାର ଜାଣିଶୁଣି ପଶ୍ଚିମ ଓଡଡ଼ିଶା ବିକାଶରେ ବାଧକ ସାଜିଛନ୍ତି । ୨୦୧୩ରେ ପଶ୍ଚିମ ଓଡ଼ିଶାରେ ଜଳସେଚନ କ୍ଷେତ୍ରକୁ ଅଗ୍ରାଧିକାର ଦେବା ପାଇଁ ନିଷ୍ପତ୍ତି ହୋଇଥିବା ବେଳେ ୨୦୧୫-୧୮ ଭିତରେ ମାତ୍ର ୧୧.୮୦ ପ୍ରତିଶତ ଅର୍ଥ ଜଳସେଚ କ୍ଷେତ୍ରରେ ଖର୍ଚ୍ଚ ହୋଇଛି । ଏମ୍ପି ଓ ଏମ୍ଏଲ୍ଏ ଲ୍ୟାଡ ପାଣ୍ଠିରୁ ଟଙ୍କା ପାଇବାକୁ ଯୋଗ୍ୟଥିବା ୧୯୩ଟି ଘରୋଇ ଶିକ୍ଷାନୁଷ୍ଠାନକୁ ୨୦୧୪-୧୮ ମଧ୍ୟରେ ବିକାଶ ପରିଷଦ ବେନିୟମ ଭାବେ ୯.୧୧ କୋଟି ଟଙ୍କା ପ୍ରଦାନ କରିଛି । ୧୯୯୧ ମସିହା ଘଡ଼େଇ କମିଟି ରିପୋର୍ଟ ଆନୁଯାୟୀ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅନ୍ତର୍ଗତ ୮୯ଟି ବ୍ଲକ୍ ମଧ୍ୟରୁ ୩୪ଟି ବ୍ଲକ ଅତ୍ୟନ୍ତ ପଛୁଆ ଏବଂ ୨୫ଟି ବ୍ଲକ ପଛୁଆ ରହିଥିଲା ।
ଏହି ବ୍ଲକଗୁଡ଼ିକର ବିକାଶ ପାଇଁ ୨୦୧୩ରେ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଏଗୁଡ଼ିକର ବିକାଶ ହୋଇ ପାରିଲା ନାହିଁ । ୨୦୧୬-୧୮ ମସିହା ଭିତରେ ପରିଷଦ ୪୦୯.୭୨ କୋଟି ଟଙ୍କାର ଅର୍ଥ ବ୍ୟବସ୍ଥା କରିଥିବାବେଳେ ସେଥିମଧ୍ୟରୁ ୪୫ ପ୍ରତିଶତ ଅର୍ଥାତ୍ ୧୮୩.୪୧ କୋଟି ବିକାଶଶୀଳ ଓ ବିକଶିତ ବ୍ଲକଗୁଡ଼ିକୁ ପ୍ରଦାନ କରାଯାଇଥିଲା । ଏବେ ସୁଦ୍ଧା ପ୍ରାୟ ୪.୧୩ କୋଟି ଟଙ୍କା ବିନିଯୋଗରେ ସମ୍ପୂର୍ଣ୍ଣ ହୋଇଥିବା ଅନେକ ଅନୁଷ୍ଠାନ ବ୍ୟବହୃତ ହୋଇପାରୁନାହିଁ । ଗଙ୍ଗାଧର ମେହେର ସ୍ମାରକ ପ୍ରେକ୍ଷାଳୟ ଓ ଗବେଷଣା କେନ୍ଦ୍ର, ପାଠଗାର ନିର୍ମାଣ କାର୍ଯ୍ୟ ୨୦୧୫ରୁ ଶେଷ ହୋଇଥିଲେ ବି ଆସବାବପତ୍ର ଅଭାବ ଯୋଗୁଁ ଏହା ବ୍ୟବହାର ଉପଯୋଗୀ ହୋଇପାରିନାହିଁ ।
ପଶ୍ଚିମ ଓଡ଼ିଶାରେ ୧୦ଟି ଯୋଜନା ପର୍ଯ୍ୟବେକ୍ଷଣ ସଂସ୍ଥା ଓ ୪୬ଟି ନମୁନା ଯାଞ୍ଚ ସଂସ୍ଥା ପାଖରେ ୧୫୧.୬୮ କୋଟି ଟଙ୍କା ବିନିଯୋଗ ନହୋଇ ପଡ଼ିରହିଛି । ଭେଷଜ ମହାବିଦ୍ୟାଳୟ ପରିଚାଳନାରେ ଅଭିଜ୍ଞତା ଅଭାବ ଯୋଗୁଁ କଳାହାଣ୍ଡି ଜାରିଙ୍ଗଠାରେ ଥିବା ଭେଷଜ ହସ୍ପିଟାଲ ଓ କଲେଜ ବନ୍ଦ ହୋଇ ପଡ଼ିରହିଛି ବୋଲି ଶ୍ରୀ ପୁରୋହିତ ଅଭିଯୋଗ କରିଛନ୍ତି । ସେହିପରି କେନ୍ଦୁପତ୍ର ତୋଲାଳିଙ୍କ ପାଇଁ ପୂର୍ବରୁ ଯେଉଁ ନିୟମ ଥିଲା ତାହାକୁ ଲାଗୁ କରିବାକୁ ସେ ଦାବି କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଠାକୁର ରଞ୍ଜିତ ଦାସ ଉପସ୍ଥିତ ଥିଲେ ।