ହାତୀ ଆକ୍ରମଣରେ ମହିଳା ମୃତ

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ପାଟଣାଗଡ଼ ଉପଖଣ୍ଡ ଲରମ୍ଭା ଥାନା ଅନ୍ତର୍ଗତ ଫଟାମୁଣ୍ଡା ପଞ୍ଚାୟତର ଲଡ଼ଙ୍ଗାଭଟା ଗ୍ରାମରେ ହାତୀ ଆକ୍ରମଣ ଯୋଗୁ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ମାର୍କଣ୍ଡ ସାଣ୍ଡଙ୍କ ସ୍ତ୍ରୀ ପ୍ରତିମା ସାଣ୍ଡ । ମିଳିଥିବା ରିପୋର୍ଟ ମୁତାବକ, ହାତୀ ପ୍ରଥମେ ଘର ଭିତରକୁ ପଶି ୬ ପ୍ୟାକେଟ ଚାଉଳ ଖାଇବା ପରେ ପ୍ରତିମାକୁ ଟେକି ନେଇ କଚାଡ଼ି ଦେଇଥିଲା । ଫଳରେ ପ୍ରତିମାଙ୍କ ମୃତ୍ୟୁ ହୋଇଥିଲା । ଏହି ସମୟରେ ପ୍ରତିମାଙ୍କ ସ୍ୱାମୀ ମାର୍କଣ୍ଡ ଭୟଭୀତ ହୋଇ ଦୌଡ଼ି ପଲାଇ ଯାଇଥିଲେ । ଖବର ପାଇ ପାଟଣାଗଡ଼ ରେଞ୍ଜର ରାଜକୃଷ୍ଣ ଭୋଇ, ଲରମ୍ଭା ଫରେଷ୍ଟର ଭାଗବତ ଦାସ, ଶ୍ୟାମସୁନ୍ଦର ସାହୁ, ସୁନ୍ଦରରାମ ସାଏ, ଉମାବତୀ ଭୁଏଙ୍କ ସହ ଲରମ୍ଭା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରିଛନ୍ତି । ପରେ ଘଟଣାସ୍ଥଳରେ ସମାଜସେବୀ ଜୟନ୍ତ କୁମ୍ଭାର, କରମ ସିଂ ସରାଫ ପହଞ୍ଚି ମୃତକଙ୍କ ପରିବାରକୁ ସମବେଦନା ଜଣାଇଥିଲେ । ଏହାସହ ଜଙ୍ଗଲ ବିଭାଗ ତରଫରୁ ୪୦ ହଜାର ଟଙ୍କାର ଚେକ ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି ।