ଲୋୟର ସୁକତେଲରେ ସ୍ଥାନାନ୍ତରଣ ପ୍ରକ୍ରିୟା ଆରମ୍ଭ

ବଲାଙ୍ଗିର,ଏନ୍ଏନ୍ଏସ୍: ଗତକାଲି ପ୍ରଥମ ଦିନରେ ପ୍ରକଳ୍ପ ଦ୍ୱାରା ୭୦ ବିସ୍ଥାପିତଙ୍କ ଘରକୁ ଅକ୍ତିଆର କରିଛି ପ୍ରଶାସନ। ଲୋୟର ସୁକତେଲ ଡ୍ୟାମ ସାଇଟ୍‌ ଗାଁ ପରଧିଆ ପାଲିରେ ବିସ୍ଥାପିତଙ୍କୁ ସ୍ଥାନାନ୍ତରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମ ଦିନରେ ପ୍ରକଳ୍ପ ଦ୍ୱାରା ବିସ୍ଥାପନ ହେବାକୁ ଥିବା ୭୦ ବିସ୍ଥାପିତଙ୍କ ଘରକୁ ପ୍ରଶାସନ ଅକ୍ତିଆର କରିବା ସହ ୩୦ ପରିବାରର ଘରକୁ ଡୋଜର୍‌ ଲଗାଇ ଭାଙ୍ଗିଥିବା ସୂଚନା ମିଳିଛି।

ଗତକାଲି ସକାଳୁ ପରଧିଆ ପାଲି ଗାଁରେ ପୁଲିସ ଫୋର୍ସ ପହଞ୍ଚିବା ପରେ ଉପଜିଲ୍ଲାପାଳ ଲମ୍ବୋଦର ଧରୁଆ, ମୁଖ୍ୟ ନିର୍ମାଣ ଯନ୍ତ୍ରୀ ନିରଞ୍ଜନ ରାଉତ, ଲୋୟର ସୁକତେଲ ପ୍ରକଳ୍ପ ନିର୍ଦ୍ଦେଶକ (ଆର୍‌ଆର୍‌) ମହେନ୍ଦ୍ର ମହାପାତ୍ର, ଏସଡିପିଓ ତୋଫାନ ବାଗ ପ୍ରମୁଖ ପହଞ୍ଚିଥିଲେ। ଯେଉଁ ପରିବାର ଦ୍ୱିତୀୟ କିସ୍ତି ଟଙ୍କା ଗ୍ରହଣ କରି ସାରିଛନ୍ତି ସେମାନଙ୍କ ଘରକୁ ଯାଇ ଅଧିକାରୀଗଣ ଆସବାବପତ୍ର କାଢ଼ିବାକୁ କହିଥିଲେ। ଗାଁ ଲୋକଙ୍କ ସହମତିରେ ଏହି ସ୍ଥାନାନ୍ତରଣ ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନାରେ କୁହାଯାଇଛି।