କରୋନା ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବେ ସରକାର: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କରୋନା ମୃତକଙ୍କ ପରିବାରକୁ ସରକାର ଆର୍ଥିକ ସହାୟତା ପ୍ରଦାନ କରିବେ। ଏନେଇ ଆଜି ସୁପ୍ରିମକୋର୍ଟ ଫଇସଲା ଶୁଣାଇ ଥିବାବେଳେ ମୂଲ୍ୟ ନିର୍ଦ୍ଧାରଣ କରିନାହାନ୍ତି। କ୍ଷତିପୂରଣ ଦେବା ପାଇଁ ଗାଇଡଲାଇନ ପ୍ରସ୍ତୁତ କରିବାକୁ ମଧ୍ୟ କୋର୍ଟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହିତ ମୃତ୍ୟୁ ପ୍ରମାଣପତ୍ର ଦେବାର ପ୍ରକ୍ରିୟାକୁ ସରଳ କରିବାକୁ ମଧ୍ୟ କୋର୍ଟ କହିଛନ୍ତି।

ସୂଚନାଯୋଗ୍ୟ, କରୋନାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ୪ଲକ୍ଷ ଟଙ୍କା ଦେବା ପାଇଁ ସୁପ୍ରିମକୋର୍ଟରେ ପିଟିସନ୍ ଦାୟର ହୋଇଥିଲା। ଉକ୍ତ ମାମଲାର ପ୍ରଥମ ଶୁଣାଣୀ ସମୟରେ କେନ୍ଦ୍ର ସରକାର କ୍ଷତିପୂରଣ ଦେବାକୁ ଆର୍ଥିକ ରୂପରେ ନିରପେକ୍ଷ ଦର୍ଶାଇଥିଲେ। ଏହାଦ୍ୱାରା ରାଜକୋଷ ଖାଲି ହୋଇଯିବ ବୋଲି କହିଥିଲେ। ଆର୍ଥିକ ସହାୟତା ପ୍ରଦାନ କରିବା ବଦଳରେ କରୋନାର ମୁକାବିଲା ଲାଗି ବ୍ୟବସ୍ଥା ଓ ଗରିବା କଲ୍ୟାଣ ପ୍ରଥମ ଲକ୍ଷ୍ୟ ବୋଲି ସରକାର କହିଥିଲେ।