ନୂଆଦିଲ୍ଲୀ,ଏଜେନ୍ସି: ପାଳି କରି ଦେଶରେ କରୋନା ତାଣ୍ଡବ ରଚିଛି। ଦିନରାତି ଏକ କରି ଲୋକଙ୍କ ସେବାରେ ଥିବା ଅନେକ ଡାକ୍ତରଙ୍କ ଜୀବନ ନେଲାଣି ମହାମାରୀ। ଦ୍ୱିତୀୟ ଲହରରେ ସମଗ୍ର ଦେଶରୁ ୭୯୮ ଡାକ୍ତରଙ୍କ ଜୀବନ ନେଲାଣି ଅଦୃଶ୍ୟ ଭୂତାଣୁ। ଭାରତୀୟ ମେଡିକାଲ୍ ଆସୋସିଏସନ୍ ପକ୍ଷରୁ ଜାରି ହୋଇଥିବା ରିପୋର୍ଟରୁ ଜଣାପଡିଛି।
୭୯୮ ଡାକ୍ତରଙ୍କ ମଧ୍ୟରୁ ଦିଲ୍ଲୀରୁ ସର୍ବାଧିକ ୧୨୮, ବିହାରରୁ ୧୧୫ ଜଣ ଡାକ୍ତର ଜୀବନ ହରାଇଥିବାବେଳେ ଉତ୍ତରପ୍ରଦେଶରୁ ୭୯ ଜଣ ଡାକ୍ତରଙ୍କର ମୃତ୍ୟୁ ହୋଇଛି। ମହାରାଷ୍ଟ୍ରରୁ ୨୩ ଜଣ ଡାକ୍ତର ଓ କେରଳରୁ ୨୪ ଜଣ ଡାକ୍ତରଙ୍କର ମୃତ୍ୟୁ ହୋଇଛି। ପୁଡୁଚେରିରେ ଡାକ୍ତରଙ୍କ ସର୍ବନିମ୍ନ ମୃତ୍ୟୁ ରିପୋର୍ଟ ଆସିଛି। ଜୁନ ୨୫ରେ ଭାରତୀୟ ମେଡିକାଲ୍ ଆସୋସିଏସନ୍ ୭୭୬ ଜଣ ଡାକ୍ତରଙ୍କର ମୃତ୍ୟୁ ହୋଇଥିବା ରିପୋର୍ଟ ଦେଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୁନିଶ୍ଚିତ କରିଛନ୍ତି ଯେ ଡାକ୍ତରମାନଙ୍କୁ ସମ୍ମାନ, ସୁରକ୍ଷା ଦିଆଯିବ।
ସେମାନଙ୍କ ଟିକାକରଣ ଉପରେ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି ମୋଦୀ। ଡ. ବିସି ରୟଙ୍କ ସ୍ମୃତିରେ ଆମେ ଚଳିତ ବର୍ଷର ଜାତୀୟ ଡାକ୍ତର ଦିବସ ପାଳନ କରୁଛୁ ବୋଲି କହିଛନ୍ତି ଆଇଏମଏ ସଭାପତି। ରବିବାର ମନ କି ବାତ କାର୍ଯ୍ୟକ୍ରମରେ ମହାମାରୀରେ ଡାକ୍ତରମାନଙ୍କ ଭୂମିକାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଥିଲେ। ଆଇଏମଏ ସଭାପତି ଡ. ଜୟଲାଲ କହିଥିଲେ ଡାକ୍ତରଙ୍କୁ ସମ୍ମାନ ଓ ସୁରକ୍ଷା ଦିଆଯିବ। ପ୍ରତିବର୍ଷ ଡାକ୍ତରଙ୍କ ଅବଦାନକୁ ସମ୍ମାନ ଜଣାଇ ଜୁଲାଇ ୧ରେ ଜାତୀୟ ଡାକ୍ତର ଦିବସ ପାଳନ କରାଯାଏ। ୧୯୯୧ ଜୁଲାଇ ୧ ତାରିଖରେ ପ୍ରଥମ ଜାତୀୟ ଡାକ୍ତର ଦିବସ ପାଳନ କରାଯାଇଥିଲା।