ରାୱତ୍ ଦମ୍ପତିଙ୍କ ଶେଷକୃତ୍ୟ ଆଜି: ପାଲାମ ଏୟାରବେସ୍‌ରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ,ଏଜେନ୍ସି: ତାମିଲନାଡୁର କୁନ୍ନୁରଠାରେ ଏକ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ସିଡିଏସ୍ ବିପିନ ରାୱତ୍ ଓ ତାଙ୍କ ପତ୍ନୀ ମଧୁଲିକା ରାୱତ୍‌ଙ୍କୁ ଆସନ୍ତାକାଲି ଅର୍ଥାତ ଶୁକ୍ରବାର ସ୍ଥାନୀୟ କ୍ୟାଣ୍ଟନମେଣ୍ଟ ପରିସରରେ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ଅନ୍ତିମ ସଂସ୍କାର କରାଯିବ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡିଛି । ଗୁରୁବାର ସନ୍ଧ୍ୟାରେ ନୂଆଦିଲ୍ଲୀରେ ପହଞ୍ଚିଥିବା ରାୱତ୍ ଦମ୍ପତିଙ୍କ ମୃତଦେହକୁ ଶୁକ୍ରବାର ସକାଳ ୧୧ଟାରୁ ମଧ୍ୟାହ୍ନ ୧୨.୩୦ ପର୍ଯ୍ୟନ୍ତ କାମରାଜ ମାର୍ଗସ୍ଥିତ ସିଡିଏସ୍‌ଙ୍କ ସରକାରୀ ବାସଭବନରେ ସର୍ବସାଧାରଣଙ୍କ ଦର୍ଶନାର୍ଥେ ରଖାଯିବ । ଏହାପରେ ମଧ୍ୟାହ୍ନ ୧୨.୩୦ରୁ ୧.୩୦ ପର୍ଯ୍ୟନ୍ତ ସାମରିକ ଅଧିକାରୀଙ୍କୁ ଏହି ସୁଯୋଗ ମିଳିବ । ଏହାପରେ ମରଶରୀରକୁ ଶୋଭାଯାତ୍ରାରେ କ୍ୟାଣ୍ଟନମେଣ୍ଟ୍‌ସ୍ଥିତ ବ୍ରାର ସ୍କୋୟାର ଶ୍ମଶାନ ନିଆଯାଇ ଶେଷକୃତ୍ୟ ସମ୍ପନ୍ନ କରାଯିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି । ଜେନେରାଲ ରାୱତ୍‌ଙ୍କ ଶେଷକୃତ୍ୟରେ ଶ୍ରୀଲଙ୍କା, ନେପାଳ ଓ ଭୁଟାନ ସ୍ଥଳସେନାର ବରିଷ୍ଠ ଯୋଗଦେବେ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡିଛି । ଶ୍ରୀଲଙ୍କା ପକ୍ଷରୁ ସିଡିଏସ୍ ଓ ସ୍ଥଳସେନା ମୁଖ୍ୟ ଜେନେରାଲ ସାଭେନ୍ଦ୍ର ସିଲ୍‌ଭା ଓ ପୂର୍ବତନ ସିଡିଏସ୍ ତଥା ଅବସରପ୍ରାପ୍ତ ଆଡ୍‌ମିରାଲ ରବି ୱିଜେଗୁଣରତ୍ନେ (ସ୍ୱର୍ଗତ ରାୱତ୍‌ଙ୍କ ଏନ୍‌ଡିଏ ସହପାଠୀ) ଯୋଗଦେଉଥିବାବେଳେ ରୟାଲ ଭୁଟାନ ଆର୍ମି ପକ୍ଷରୁ ବ୍ରିଗେଡିୟର ଦୋର୍ଜି ରିନ୍‌ଚେନ୍ ଓ ନେପାଳ ପକ୍ଷରୁ ସ୍ଥଳସେନା ଉପମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ବାଲକୃଷ୍ଣ କାର୍କି ପ୍ରତିନିଧିତ୍ୱ କରିବେ । ୧୩ ଜଣଙ୍କ ମଧ୍ୟରୁ କେବଳ ୪ ଜଣଙ୍କ ମୃତଦେହକୁ ଚିହ୍ନଟ କରାଯାଇଛି । ଏମାନେ ହେଲେ ସିଡିଏସ୍ ବିପିନ ରାୱତ୍‌, ତାଙ୍କର ପତ୍ନୀ ମଧୁଲିକା ରାୱତ୍‌, ରାୱତ୍‌ଙ୍କର ପ୍ରତିରକ୍ଷା ସହକାରୀ ବ୍ରିଗେଡିୟର ଲଖୱିନ୍ଦର ସିଂହ ଲିଡେର ଓ ଲାନ୍‌ସ ନାଏକ ବିବେକ କୁମାର । ଅନ୍ୟ ୯ଟି ମୃତଦେହକୁ ସ୍ଥାନୀୟ ଆର୍ମି ହସ୍ପିଟାଲର ଶବାଗାରରେ ରଖାଯିବ । ଚିହ୍ନଟ ହେବାପରେ ସଂପୃକ୍ତ ମୃତଦେହ ସେମାନଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି ।

ଭାରତର ପ୍ରଥମ ସିଡିଏସ୍ (ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍‌) ଜେନେରାଲ ବିପିନ ରାୱତ୍‌ଙ୍କ ସମେତ ସମସ୍ତ ୧୩ ଜଣଙ୍କର ମରଶରୀର ଗୁରୁବାର ସନ୍ଧ୍ୟାରେ ନୂଆଦିଲ୍ଲୀରେ ପହଞ୍ଚିଛି । ଏହି ମୃତଦେହଗୁଡିକୁ ଆଣିଥିବା ଭାରତୀୟ ବାୟୁସେନାର ସି୧୩୦ ସୁପର ହର୍କୁଲସ୍ ପରିବହନ ବିମାନ ପାଲାମସ୍ଥିତ ବାୟୁସେନା ଘାଟିରେ ଅବତରଣ କରିବାପରେ ସେଠାରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ପ୍ରତିରକ୍ଷା ସଚିବ ପ୍ରଥମେ ମରଶରୀର ଉପରେ ପୁଷ୍ପମାଲ୍ୟ ଅର୍ପଣ କରିବାପରେ ତିନି ବାହିନୀ ଯଥା ସ୍ଥଳସେନା, ନୌସେନା ଓ ବାୟୁସେନା ମୁଖ୍ୟଙ୍କୁ ଏହି ସୁଯୋଗ ମିଳିଥିଲା । ଏହାପରେ ସ୍ୱର୍ଗତ ରାୱତ୍‌ଙ୍କ ପରିବାର ମୃତଦେହକୁ ଶେଷ ସମ୍ମାନ ଜଣାଇଥିଲେ । ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଶେଷରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପାଲାମ ଘାଟିରେ ପହଞ୍ଚି ମୃତକଙ୍କୁ ଶ୍ରଦ୍ଧାଞ୍ଚଳି ଜ୍ଞାପନ କରିଥିଲେ । ଏହି ଅବସରରେ ମୋଦୀ ଓ କୋବିନ୍ଦ ସେଠାରେ ଉପସ୍ଥିତ ରାୱତ୍‌ଙ୍କ ପରିବାରବର୍ଗଙ୍କୁ ଭେଟି ସମବେଦନା ଜଣାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଓ କ୍ୟାବିନେଟର ଅନ୍ୟ ମନ୍ତ୍ରୀ ମଧ୍ୟ ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରି ସେମାନଙ୍କର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।