କେସିଙ୍ଗା,ଏନ୍ଏନ୍ଏସ୍: କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ମଶାଣୀମୁଣ୍ଡା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୫ମ ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ଡା. ନୀଳମାଧବ ପଟ୍ଟନାୟକଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ କଳାହାଣ୍ଡି ବିଶ୍ୱବିଦ୍ୟାଳୟର ଭାଇସ ଚାନସେଲର ପ୍ରଫେସର ସଞ୍ଜୟ କୁମାର ଶତପଥୀ ଯୋଗଦେଇ ଆଦର୍ଶ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କୁ କିପରି ଆଦର୍ଶ ଗଠନ ହୋଇପାରିବ ସେ ଉପରେ ଆଲୋକପାତ କରିଥିଲେ । ମୁଖ୍ୟବକ୍ତା ଭାବେ କେସିଙ୍ଗା ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ସୁଶାନ୍ତ ପାଢ଼ୀ ଯୋଗଦେଇ ଏହି ମାଟିର ଜଣେ ଭଲ ମଣିଷ ହେବାସହ ନିଜ ଗାଁ ଓ ଜିଲ୍ଲା ପାଇଁ ଗୌରବ ଆଣିବାକୁ ଛାତ୍ରଛାତ୍ରୀଙ୍କୁ କହିଥିଲେ । ସ୍ୱତନ୍ତ୍ର ଅତିଥିଭାବେ ଜିଲ୍ଲା ଶିକ୍ଷାଧିକାରୀ ସୁଶାନ୍ତ ଚୋପଦାର ମଞ୍ଚାସୀନ ହୋଇ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉଜ୍ଜ୍ୱଳ ଜୀବନ ଉପରେ ମତପୋଷଣ କରିଥିଲେ । ସମ୍ମାନୀତ ଅତିଥିଭାବେ କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଚନ୍ଦନ କୁମାର ସେନାପତି ମଞ୍ଚାସୀନ ହୋଇ ଆଜିର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଜୀବନ ଗଠନରେ ମା’ମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ଏବଂ ସେ ହିଁ ଆମର ପ୍ରଥମ ଗୁରୁ ବୋଲି କହିଥିଲେ । ଏଥିରେ ବିଦ୍ୟାଳୟର ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ ଉଦଘାଟିତ ହୋଇଥିଲା । ଏହି ଅବସରରେ ବିଦ୍ୟାଳୟର କୃତି ଛାତ୍ରଛାତ୍ରୀ, ଅଭିଭାବକ ତଥା ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ମାନପତ୍ର ଓ ଉପଢୌକନ ଦେଇ ପୁରସ୍କୃତ କରାଯାଇଥିଲା । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଏଥିରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କ ସହିତ ଭିଏମଡିସି ସଦସ୍ୟ, ଅଭିଭାବକ, ଗଣମାଧ୍ୟମ ପ୍ରତିନିଧି ଓ ବୁଦ୍ଧିଜୀବୀ ପ୍ରମୁଖ ଉପସ୍ଥିତ ରହିଥିଲେ । ବାର୍ଷିକ ଉତ୍ସବର ସମସ୍ତ କାର୍ଯ୍ୟକ୍ରମରେ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ସମେତ କର୍ମଚାରୀ ସହଯୋଗ କରିଥିଲେ । ଅଷ୍ଟମ ଶ୍ରେଣୀର ଛାତ୍ରୀ ପ୍ରିୟା ବିଶ୍ୱକର୍ମା ଓ ଦ୍ୱାଦଶ ଶ୍ରେଣୀ ଛାତ୍ର ସନ୍ଦିପ ସ୍ୱାଇଁ ସଭା ସଞ୍ଚାଳନ କରିଥିଲେ ।