ନବରଙ୍ଗପୁରରେ ଧାନ ମଣ୍ଡି ଉଦଘାଟିତ

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ନବରଙ୍ଗପୁର ସହରର ମୁଖ୍ୟ ବଜାର ପ୍ରାଙ୍ଗଣରେ ଜିଲ୍ଲାସ୍ତରୀୟ ଧନ ମଣ୍ଡି ଉଦଘାଟିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀଙ୍କ ସମେତ ଜିଲ୍ଲାପାଳ ଡା. କୋମଳ ଲୋଚନ ମିଶ୍ର, ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତ, ଜିଲ୍ଲା ଯୋଗାଣ ଅଧିକାରୀ ସଞ୍ଜୀବ ସାହୁ ଓ ଏଆରସିଏସଓ ମୋନିକା ରାୟ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଚାଷୀଙ୍କୁ ମଣ୍ଡି ବାବଦରେ ସଚେତନ କରିବା ସହିତ ସହଯୋଗ କରିବା ପାଇଁ ଜିଲ୍ଲା ପ୍ରଶାସନ ଅନୁରୋଧ କରିଛନ୍ତି । ଚଳିତ ବର୍ଷ ନିର୍ଦ୍ଧାରିତ ସମୟରେ ମଣ୍ଡି ଆରମ୍ଭ ହୋଇଛି । ନିୟନ୍ତ୍ରିତ ବଜାର କମିଟି ମାଧ୍ୟମରେ ସିଧାସଳଖ ଚାଷୀଙ୍କଠାରୁ ଧାନ କିଣିବା ନିଷ୍ପତ୍ତିି ନେଇ ଶନିବାର ମଣ୍ଡି ଉଦଘାଟନ କରାଯାଇଛି । ଜିଲ୍ଲାର ୫୯ଟି ଜାଗାରେ ମଣ୍ଡି ଖୋଲି ଚାଷୀଙ୍କଠାରୁ ଧାନ କ୍ରୟ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଚାଷୀଙ୍କୁ ଦଲାଲଙ୍କ ପ୍ରଲୋଭନରେ ନ ପଡ଼ି ମଣ୍ଡିକୁ ଏଫଏକ୍ୟୁ ମାନର ଧାନ ଆଣି ସରକାରୀ ମୂଲ୍ୟରେ ଉଚିତ ଦର ପାଇବା ପାଇଁ ପରାମର୍ଶ ଦିଆଯାଇଥିଲା । ଚଳିତ ବର୍ଷ ୪୩ ହଜାର ୭୫୭ଜଣ ଚାଷୀ ରେଜିଷ୍ଟ୍ରେସନ କରିଛନ୍ତି । ପ୍ରଥମେ ପର୍ଯ୍ୟାୟରେ ୧୫ ଲକ୍ଷ ୫୫ହଜାର ୯୭୦ କ୍ୱିଣ୍ଟାଲ ଧାନ କିଣାଯିବ ବୋଲି ସୂଚନା ମିଳିଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମିଲ ମାଲିକ, ସ୍ୱୟଂ ସହାୟିକା ଗୋଷ୍ଠୀ ଓ ଚାଷୀମାନେ ଉପସ୍ଥିତ ଥିଲେ । ନିୟନ୍ତ୍ରିତ ବଜାର କମିଟିର କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।