ଝାରସୁଗୁଡ଼ା,ଏନ୍ଏନ୍ଏସ୍: ‘ମୋର ମାଁ, ବୁଆ, ଛୁଆପିଲା, ସାଙ୍ଗ ସାଥୀ ସବୁତ ଇ ଘର ଥିଲା। ଦଇବରନେ କାଏଁ ଦୋଷ କରିଥିଲି ଯେ, ଇଟା ଭିଲ ଜଳିିଗଲା। ଏଛିନି ମୁଇଁ କେନ୍ତା କରମି। କେନ୍ ରହିମି। କାର୍ ଲାଗି ବଲି ଆଉ ବଞ୍ଚିମି ଇ ଦୁନିଆଁ ଥି’। ଏହିପରି କାନ୍ଦିକାନ୍ଦି କହିଛନ୍ତି ଲଖନପୁର ବ୍ଲକ ଖଏରକୁନୀ ଗ୍ରାମର ବୃଦ୍ଧ ସତ୍ୟାନନ୍ଦ ସାହୁ। ସତ୍ୟାନନ୍ଦ ଗତ ମଙ୍ଗଳବାର ରାତିରେ ତାଙ୍କ କୁଡିଆରେ ଶୋଇଥିବାବେଳେ ହଠାତ ତାଙ୍କ କୁଡିଆରେ ନିଆଁ ଲାଗି ପାଉଁଶ ହୋଇଯାଇଥିଲା। କୁଡିଆରେ ଥିବା ତାଙ୍କର ସଞ୍ଚିତ ଅର୍ଥ, ସାଇକଲ ଓ ଖାଇବା ସାମଗ୍ରୀ ମଧ୍ୟ ଜଳି ପୋଡି ପାଉଁଶ ହୋଇଯାଇଛି। ଆଖି ଆଗରେ ଘର ଓ ସମସ୍ତ ସାମଗ୍ରୀ ଜଳି ଯାଇଥିବାରୁ ବୃଦ୍ଧ ସତ୍ୟାନନ୍ଦ ଅସହାୟ ହୋଇପଡିଛନ୍ତି। କୁଡିଆରେ ଏକ ଛୋଟ ହୋଟେଲରେ ପକୁଡି ବିକି ସେ ଦି’ ପଇସା ରୋଜଗାର କରୁଥିଲେ।
ତେଣୁ ତାଙ୍କୁ ପ୍ରଶାସନ ଏକ ପକ୍କାଘର ଯୋଗାଇଦେଲେ ସେ ପୁଣି ସାହାସ ଜୁଟାଇ ପାରିବେ ବୋଲି କହିଛନ୍ତି। ଅନ୍ୟପଟେ ସତ୍ୟାନନ୍ଦଙ୍କ କୁଡିଆ ଜଳିଯିବା ପରେ ପ୍ରଶାସନ ପକ୍ଷରୁ ତାଙ୍କୁ ଖଏରକୁନୀ ଗ୍ରାମର ବିଦ୍ୟାଳୟରେ ଅସ୍ଥାଇ ଭାବେ ଥଇଥାନ କରାଯାଇ ଖାଇବା ପିଇବାର ବ୍ୟବସ୍ଥା କରାଯାଇଛି। ତେବେ ଏହି ଅସ୍ଥାୟୀ ସହାୟତା ପରିବର୍ତ୍ତେ ତାଙ୍କୁ ଏକ ପକ୍କାଘର ଓ କ୍ଷତିପୂରଣ ପ୍ରଦାନ କରାଯାଉ ବୋଲି ଗ୍ରାମବାସୀ ଦାବି କରିଛନ୍ତି। ଏନେଇ ଲଖନପୁର ତହସିଲଦାର ବିଶ୍ୱକେସନ ପାଣ୍ଡେଙ୍କୁ ପଚାରିବାରୁ କହିଛନ୍ତି ଆରଆଇ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ତଥ୍ୟ ସଂଗ୍ରହ କରିଛନ୍ତି। ଏହା ଜିଲ୍ଲାପାଳଙ୍କ ନିକଟକୁ ପଠାଇ ଶୀଘ୍ର ସତ୍ୟାନନ୍ଦଙ୍କୁ ସମ୍ପୂର୍ଣ୍ଣ କ୍ଷତିପୂରଣ ଓ ଉପଯୁକ୍ତ ସରାକରୀ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି।