ଚୋରା ଡିଜେଲ କାରବାର ଅଭିଯୋଗରେ ଯୁବକ ଗିରଫ

ଦେବଗଡ଼,ଏନ୍ଏନ୍ଏସ୍ : ବାରକୋଟ ଥାନା ଅନ୍ତର୍ଗତ ମଣ୍ଡାଶିଳା ଗ୍ରାମରେ ବେଆଇନ ଚୋରା ଡିଜେଲ କାରବାର ଅଭିଯୋଗରେ ବାରକୋଟ ଥାନା ପୁଲିସ ଗତକାଲି ବିଳମ୍ବିତ ରାତିରେ ଜଣଙ୍କୁ ଗିରଫ କରିଛି। ଅଭିିଯୁକ୍ତ ଜଣକ ହେଲେ ରାଜାମୁଣ୍ଡା ଗ୍ରାମର ସୁରେନ୍ଦ୍ର ମହାନ୍ତ (୨୨)। ଗିରଫ ସମୟରେ ସୁରେନ୍ଦ୍ରଙ୍କ ନିକଟରୁ ୨୩ଟି ବ୍ୟାରେଲରେ ଭର୍ତ୍ତି ଥିବା ୨,୭୮୦ଲିଟର ଡିଜେଲ ଜବତ ହୋଇଛି। ତେବେ ଏହି ଘଟଣାରେ ସମ୍ପୃକ୍ତ ଅନ୍ୟଜଣେ ସହଯୋଗୀ ଫେରାର ହୋଇଯାଇଥିବା ଜଣାପଡ଼ିଛି। ପୁଲିସ ସୂତ୍ରରୁ ଜଣାପଡ଼ିଛି ଯେ, ୪୯ନମ୍ବର ଜାତୀୟ ରାଜପଥ ପ୍ରଶସ୍ତିକରଣ କାର୍ୟ୍ୟ କରୁଥିବା ଠିକା କମ୍ପାନୀ ଓରିଏଣ୍ଟାଲ କନଷ୍ଟ୍ରୋକ୍ସନରେ ନିୟୋଜିତ ବିଭିନ୍ନ ଭାରୀଯାନ ଗୁଡ଼ିକରୁ ଗତ କିଛି ଦିନରୁ ଡିଜେଲ ଚୋରୀ ହେଉଥିବା କମ୍ପାନୀ କର୍ମଚାରୀ ଜାଣିବାକୁ ପାଇଥିଲେ। ଏନେଇ କମ୍ପାନୀ ପକ୍ଷରୁ କର୍ମଚାରୀ ଗୌତମ ପାତ୍ର ଗତକାଲି ବାରକୋଟ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ସମୟରେ ରାଜମୁଣ୍ଡା ଗ୍ରାମର ସୁରେନ୍ଦ୍ର ପାଳଲହଡ଼ା ଥାନା ଅଞ୍ଚଳର ଅନ୍ୟ ଜଣେ ଯୁବକ ସହ ମିଶି କମ୍ପାନୀ ଗାଡ଼ିରୁ ଚୋରି ଡିଜେଲ ଗୁଡ଼ିକୁ ମଣ୍ଡାଶିଳା ଗ୍ରାମରେ ଏକ ଭଡ଼ା ଘରେ ରଖିଥିବା ଜାଣିବାକୁ ପାଇଥିଲା। ଗତକାଲି ବିଳମ୍ବିତ ରାତିରେ ବାରକୋଟ ଥାନାଧିକାରୀ ରାଜେନ୍ଦ୍ର କୁମାର ମହାପାତ୍ର ସଦଳେବଳେ ଉକ୍ତ ଭଡ଼ା ଘରେ ଚଢ଼ଉ କରି ଘରୁ ଡିଜେଲ ଭର୍ତ୍ତି ବ୍ୟାରେଲ ଜବତ କରିବା ସହ ଅଭିଯୁକ୍ତ ସୁରେନ୍ଦ୍ରଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି।