କୋରାପୁଟ,ଜୟପୁର,ଏନ୍ଏନ୍ଏସ୍: ସେମିଲିଗୁଡ଼ା ଥାନା ଓ ଜୟପୁର ସଦର ଥାନା ପୁଲିସ୍ ପୃଥକ ଭାବେ ବିଭିନ୍ନ ସ୍ଥାନରେ ଚଢ଼ଉ କରି ୧୧୯୫ କିଲୋଗ୍ରାମ୍ ଗଞ୍ଜେଇ ଜବତ କରି ସମ୍ପୃକ୍ତ ଜଣେ ମହିଳାଙ୍କ ସମେତ ୬ଜଣକୁ ଗିରଫ କରିଛି। ସେମିଲିଗୁଡ଼ା ଥାନାଧିକାରୀ ଧୀରେନ୍ କୁମାର ବେହେରାଙ୍କ ନେତୃତ୍ୱରେ ଏକ ଟିମ୍ ସେମିଲିଗୁଡ଼ା-ନନ୍ଦପୁର ରାସ୍ତାର ବଡ଼େଙ୍ଗା ଛକରେ ଯାନବାହାନ ଯାଞ୍ଚ କରୁଥିବାବେଳେ ଏକ ଟ୍ରକ୍ ଓ ଅଟୋରିକ୍ସାକୁ ଚେକିଂ କରି ସେଥିରୁ ୧୧୪୫ କିଲୋଗ୍ରାମ୍ ଗଞ୍ଜେଇ ଜବତ କରିଥିଲେ। ଟ୍ରକରେ ଗଞ୍ଜେଇ ଚାଲାଣ କରାଯାଉଥିବାବେଳେ ଜବତ ଅଟୋରିକ୍ସା ଏସକଟ୍ ଦେଉଥିବା ଜଣାପଡ଼ିଛି। ଏହି ଘଟଣାରେ ସେମିଲିଗୁଡ଼ା ପୁଲିସ୍ ଝାଡ଼ଖଣ୍ଡ ବୋକାର ଜିଲ୍ଲାର ସୁବୋଧ କୁମାର ମାହାନ୍ତ(୪୮), ଉତ୍ତମ ହାନସଦା(୨୦), ବବଲୁ ମହାନ୍ତ(୩୧) ଓ କୋରାପୁଟ ଜିଲ୍ଲା ପାଡୁଆ ଥାନା ଅଞ୍ଚଳର ସିତାରାମ୍ ଗେମେଲକୁ ଗିରଫ କରିଛି। ଜବତ ଗଞ୍ଜେଇ ପାଡୁଆ ଅଞ୍ଚଳରୁ ଝାଡଖଣ୍ଡ ଓ ବିହାରକୁ ଚାଲାଣ ହେଉଥିବା ସୂଚନା ମିଳିଛି। ସେମିଲିଗୁଡ଼ା ତହସିଲଦାର ଶରତ ମାଝୀଙ୍କ ଉପସ୍ଥିତିରେ ଗଞ୍ଜେଇ ଓଜନ କରାଯାଇଥିବାବେଳେ ପୁଲିସର ସ୍ୱତନ୍ତ୍ର ଟିମରେ ଏଏସଆଇ ଏସ୍ ସିଏଚ୍ ବିଷୋୟୀ, ହାବିଲଦାର୍ ଏସ୍ କେ ବାଘ, କନେଷ୍ଟବଳ ଅରୁଣ ବେହେରା ଓ ପି ସିଏଚ୍ ମାଝୀ ପ୍ରମୁଖ ସାମିଲ୍ ହୋଇଥିଲେ। ଜବତ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ୫୭ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡ଼ିଛି।
ସେହିପରି ଜୟପୁର ସଦର ଥାନା ପୁଲିସ ଦ୍ୱାରା ମଧ୍ୟ ୫୦ କିଲୋଗ୍ରାମ ଗଞ୍ଜେଇ ଜବତ କରାଯାଇଥିବାବେଳେ ଜଣେ ମହିଳାଙ୍କ ସମେତ ୨ଜଣକୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ମଧ୍ୟପ୍ରଦେଶର ଉଜୈନ୍ ଜିଲ୍ଲାର ପୂଜା ଛରୀ(୩୦) ଓ ମୁକଦ୍ଦ୍ ସାହା ଫକୀର(୩୬)। ବୈପାରିଗୁଡ଼ା ଅଞ୍ଚଳରୁ ଜୟପୁର ଆଡ଼କୁ ଏକ ନମ୍ବର ନଥିବା ବାଇକରେ ଚୋରା ଗଞ୍ଜେଇ ଚାଲାଣ ହେଉଥିବା ସୂଚନା ଜୟପୁର ସଦର ଥାନା ପୁଲିସକୁ ମିଳିଥିଲା । ସୂଚନା ମୁତାବିକ ଜୟପୁର ସଦର ଥାନା ଭାରପ୍ରାପ୍ତ ଅଧିକାରୀ ଏ.ମହାକୁଡ଼ ଓ ଅନ୍ୟମାନେ ଅପେକ୍ଷା କରିଥିଲେ। ବାଇକ୍ ଆସିବା ମାତ୍ରକେ ପୁଲିସ୍ ଟିମ୍ ଅଟକାଇ ଯାଞ୍ଚ କରିବା ପରେ ୨ଟି ଜରି ଅଖାରେ ୫୦ କିଲୋଗ୍ରାମ୍ ଗଞ୍ଜେଇ ମିଳିଥିଲା। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୨ଲକ୍ଷ ୫୦ ହଜାର ଟଙ୍କା ହେବ ବୋଲି ଜଣାପଡ଼ିଛି।