ଗଞ୍ଜେଇ ମାଫିଆଙ୍କ ନୂଆ ପଇଁତରା

କୋରାପୁଟ,ଏନ୍ଏନ୍ଏସ୍: ସେମିଲିଗୁଡ଼ା ଥାନା ଓ କୋରାପୁଟ ଟାଉନ ଥାନା ପୁଲିସ୍ ପୃଥକ ଭାବେ ୨୬ନଂ ଜାତୀୟ ରାଜପଥରେ ଗାଡ଼ି ଯାଞ୍ଚ କରି ୧କୋଟି ୯ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିଥିବାବେଳେ ଏଥିରେ ସମ୍ପୃକ୍ତ ଥିବା ୮ଜଣଙ୍କୁ ଗିରଫ କରିଛି। ସବଇନ୍ସପେକ୍ଟର ସୂଦର୍ଶନ ଅଧିକାରୀଙ୍କ ଉପସ୍ଥିତିରେ କୋରାପୁଟ ଟାଉନ ଥାନାଧିକାରୀ ଧୀରେନ୍ ପଟ୍ଟନାୟକ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଯେ, ଗୁରୁବାର ରାତିରେ ଟାଉନ୍ ଥାନାର ସବଇନ୍ସପେକ୍ଟର ଚିତ୍ତରଞ୍ଜନ ପ୍ରଧାନୀ ଅନ୍ୟାନ୍ୟ କର୍ମଚାରୀଙ୍କ ସହ ସୁନାବେଡ଼ା-କୋରାପୁଟ ୨୬ନଂ ଜାତୀୟ ରାଜପଥର ଲାଣ୍ଡିଗୁଡ଼ା ସରକାରୀ କଲେଜ୍ ନିକଟରେ ଯାନ ବାହାନ ଯାଞ୍ଚ କରୁଥିଲେ। ଚେକିଂ ସମୟରେ ସନ୍ଦେହ ହେବାରୁ ଅଦା ବୋଝେଇ ହୋଇଥିବା ଏକ ୧୪ ଚକିଆ ଟ୍ରକକୁ ଅଟକାଇଥିଲେ। ଟ୍ରକକୁ ଯାଞ୍ଚ କରିବାରୁ ସେଥିରୁ ୩୫ କିଲୋ ଓଜନର ୧୨୬ଟି ଅଦା ବସ୍ତା ସହ ୫୦ଟି ଜରି ଅଖାରେ ପେକିଂ ହୋଇଥିବା ୧୭୫୨କିଲୋ ୨୦୦ ଗ୍ରାମ ଗଞ୍ଜେଇ ମିଳିଥିଲା। ପୁଲିସ ତୁରନ୍ତ ଉକ୍ତ ଟ୍ରକ୍ ସହ ପାଇଲଟିଂ କରୁଥିବା ଏକ ମୋଟର ସାଇକଲ ଓ ଏସକର୍ଟ କରୁଥିବା ଏକ ବଲେରୋ ଓ ମାରୁତି ଅଲଟୋ କାରକୁ ଜବତ କରି ଥାନାକୁ ଆଣିଥିଲା। ଜବତ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ୭୫ଲକ୍ଷ ଟଙ୍କା ହେବ ବୋଲି ଥାନାଧିକାରୀ ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି। ଘଟଣାରେ ପୁଲିସ୍ ବିହାରର ବକ୍ସର୍ ଜିଲ୍ଲାର ଟ୍ରକ୍ ଡ୍ରାଇଭର ସତ୍ୟ ନାରାୟଣ ଯାଦବ, କ୍ଲିନର୍ ସଞ୍ଜୀବ କୁମାର ଠାକୁର ସମେତ ପଟ୍ଟାଙ୍ଗୀ ଥାନା ପାଣ୍ଡେଇ ଗ୍ରାମର ମାନିକ୍ ଆଡ଼କାଟିଆ(୨୮), ରାଜେଶ ଆଡ଼କାଟିଆ(୨୮), ଗୋରା ଦୁଶୁରା ବାରିକ(୩୩), କରଞ୍ଜଗୁଡ଼ାର ବାବୁ ରାଓ ଖୀଲ(୩୭), ସେମିଲିଗୁଡ଼ା ନେହେରୁ ନଗରର ଆଦିତ୍ୟ ସାହୁ(୨୨) ଏବଂ ସୁନାବେଡ଼ା ଚର୍ଚ କଲୋନୀର ନିକୋଦିନି ତୁରୁକ(୨୯)କୁ ଗିରଫ କରିଛି। ସବଇନ୍ସପେକ୍ଟର ଯଶୋବନ୍ତ ସେଲମା ମାମଲାର ତଦନ୍ତ କରୁଥିବାବେଳେ ଗିରଫ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ପ୍ରକାଶ କରିଛନ୍ତି। ଜବତ ଗଞ୍ଜେଇ ପଟ୍ଟାଙ୍ଗୀ ଅଞ୍ଚଳରୁ ବିହାରକୁ ଯାଉଥିବା ଜଣାପଡ଼ିଛି।

ସେହିପରି ସେମିଲିଗୁଡ଼ା ଥାନାଧିକାରୀ ଧୀରେନ କୁମାର ବେହେରାଙ୍କ ନେତୃତ୍ୱରେ ଏକ ଟିମ୍ ପଟ୍ଟାଙ୍ଗୀ-ସେମିଲିଗୁଡ଼ା ୨୬ନଂ ଜାତୀୟ ରାଜପଥର ମାଳିକୁତୁଗୁଡ଼ା ନିକଟରେ ଯାନବାହାନ ଯାଞ୍ଚ କରୁଥିବାବେଳେ ଏକ ପିଚୁ ଟ୍ୟାଙ୍କରକୁ ଚେକିଂ କରି ସେଥିରୁ ୬୭୫ କିଲୋଗ୍ରାମ୍ ଗଞ୍ଜେଇ ଜବତ କରିଛି। ଜବତ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ୩୪ ଲକ୍ଷ ଟଙ୍କା ହେବ ବୋଲି ଥାନାଧିକାରୀ ଧୀରେନ୍ ବେହେରା ସୂଚନା ଦେଇଛନ୍ତି। ସେମିଲିଗୁଡ଼ା ତହସିଲଦାର ଳରତ ମାଝୀଙ୍କ ଉପସ୍ଥିତିରେ ଗଞ୍ଜେଇ ଓଜନ କରାଯାଇଥିବାବେଳେ ପୁଲିସର ସ୍ୱତନ୍ତ୍ର ଟିମରେ ସବଇନ୍ସପେକ୍ଟର ଅନୀତା ନାୟକ, ହାବିଲଦାର୍ ଏମ କେ ବାଘ, କନେଷ୍ଟବଳ ଏନ୍.ମୁଦୁଲି.ଏମ୍, ଏସ୍. ମୁଦୁଲି, ଓଏପିଏଫ୍ ବି.ମୁଦୁଲି ଓ ଜେ,କୁଲେଶିକା ପ୍ରମୁଖ ସାମିଲ ହୋଇଥିଲେ। ତେବେ ଏହି ଘଟଣାରେ ଅନ୍ଧାରର ସୁଯୋଗ ନେଇ ପିଚୁ ଟ୍ୟାଙ୍କରର ଡ୍ରାଇଭର୍ ଏବଂ ହେଲ୍ପର ଫେରାର୍ ହୋଇ ଯାଇଥିଲେ ବୋଲି ଥାନାଧିକାରୀ ଶ୍ରୀ ବେହେରା ସୂଚନା ଦେଇଛନ୍ତି। ସେମିଲିଗୁଡ଼ା ପୁଲିସ୍ ଜବତ କରିଥିବା ଗଞ୍ଜେଇ ମଧ୍ୟ ପଟ୍ଟାଙ୍ଗୀ ଅଞ୍ଚଳରୁ ବିହାରକୁ ଚାଲାଣ ହେଉଥିବା ଜଣାପଡ଼ିଛି।