ଓଡ଼ିଶାରେ ନିର୍ମାଣ ହେବ ୮୦୦ ବଡ଼ଦେଓ ପାଠାଗାର

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଅଖିଳ ଭାରତୀୟ ଗୋଣ୍ଡୱନା ଗୋଣ୍ଡ ମହାସଭା ପକ୍ଷରୁ ଗୋଣ୍ଡ ମହାସଭାର ଆଠ ଶହଗଡ଼ିରେ ୮୦୦ଟି ବଡ଼ଦେଓ ଅନଲାଇନ ପାଠାଗାର ପ୍ରତିଷ୍ଠା ହେବ। ବିଭିନ୍ନ ସ୍ଥାନରେ ଏହାର ଭିତ୍ତିଭୂମି କାର୍ଯ୍ୟ ଜାରି ରହିଥିବାବେଳେ ବ୍ରଜରାଜନଗର ଖଲିଆକାନୀଠାରେ ନିର୍ମିତ ପାଠାଗାରର ଭିତ୍ତିଭୂମି ସହିତ ଆନୁଷଙ୍ଗିକ ଉପକରଣ ସ୍ଥାପନାର ଶେଷ ପର୍ଯ୍ୟାୟରେ ପହଂଚିଛି। ଆସନ୍ତା ଜୁନ ଶେଷ ସପ୍ତାହରେ ଗୋଣ୍ଡୱନା ବୀରଙ୍ଗନା ମହାରାଣୀ ଦୂର୍ଗାବତୀଙ୍କ ବଳିଦାନ ଦିବସ ଅବସରରେ ଏହା ଲୋକାର୍ପିତ ହେବ। ଏହାଦ୍ୱାରା ଗୋଣ୍ଡ ସମାଜର ପିଲାଙ୍କ ସହିତ ସମସ୍ତ ଗରିବ ଖଟିଖିଆ ପରିବାରର ପିଲାମାନେ ଉପକୃତ ହୋଇପାରିବେ।

ଖଲିଆକାନିରେ ନିର୍ମିତ ହେଉଥିବା ପାଠାଗାର ପ୍ରତିଷ୍ଠା ପାଇଁ ଗଣ୍ଡଘୋରା ଗୁଡ଼ିରେ ଗୋଣ୍ଡ ମହାସଭା ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଛି। ଏହି ସଭାରେ ଗଣ୍ଡଘୋରା ଗୁଡ଼ି ସଭାପତି ବରିଷ୍ଠ ଗୋଣ୍ଡ ସମାଜର ସଦସ୍ୟ ଲଳିତ ମୋହନ ଭୋଇ ସଭାପତିତ୍ୱ କରିଥିବାବେଳେ ଜିଲ୍ଲା ସଭାପତି ଡମ୍ବରୁଧର ନାୟକ, ଜିଲ୍ଲା ମହାସଚିବ ଶ୍ୟାମଲାଲ ନାୟକ, ବଲରାମ ମାଝୀ, ହେମନ୍ତ ଧୁରୁଆ, କାମଦେବ ମାଝୀ ଓ ପ୍ରେମାନନ୍ଦ ଧୁରୁଆ ପ୍ରମୁଖ ଉପସ୍ଥିତ ଥିଲେ।