ବାଲିଗୁଡ଼ା,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ସୁରୁବାଲି ବୁଲାଣି ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ଘଟିଛି । ମୃତ ଯୁବକ ଦ୍ୱୟ ହେଲେ ବଡ଼ଗାଁ ଅଞ୍ଚଳର ରାକେଶ ମଲ୍ଲିକ(ଲିଚୁ) ଓ ଅଚ୍ୟୁତାନନ୍ଦ ନାୟକ । ମିଳିଥିବା ରିପୋର୍ଟ ମୁତାବକ, ରବିବାର ରାତି ପ୍ରାୟ ୧୦ଟାରେ ବଡ଼ଗାଁ ଅଞ୍ଚଳର ରାକେଶ ଓ ଅଚ୍ୟୁତାନନ୍ଦ ନାୟକ ମହାସିଙ୍ଗି ଆଡୁ ବାଲିଗୁଡ଼ା ଅଭିମୁଖେ ଆସୁଥିବାବେଳେ ସୁରୁବାଲି ଗାଁ ନିକଟସ୍ଥ ବୁଲାଣି ରାସ୍ତାରେ ଏକ ହାଇୱା ଗାଡ଼ି ଆଗପଟୁ ଧକ୍କା ଦେଇଥିଲା । ଫଳରେ ଦୁଇ ଯୁବକ ଗୁରୁତର ଆହତ ହୋଇ ରାସ୍ତାରେ ପଡ଼ିଥିଲେ । ଖବର ପାଇ ବାଲିଗୁଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିବା ଜଣାପଡ଼ିଛି । ଅନ୍ୟପଟେ ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖି ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି । ଅନ୍ୟପଟେ ଘଟଣାକୁ ନେଇ ଚାପା ଉତ୍ତେଜନା ଦେଖା ଦେଇଥିଲା । କ୍ଷତିପୂରଣ ଦାବିରେ ଉତ୍ୟକ୍ତ ଲୋକେ ଉପଖଣ୍ଡ ଚିକିତ୍ସାଳୟ ସମ୍ମୁଖ ୫୯ନଂ ଜାତୀୟ ରାଜପଥ ଅବରୋଧ କରିଥିଲେ । ସମ୍ପୃକ୍ତ ଠିକା ସଂସ୍ଥା ମୃତକଙ୍କ ପରିବାରକୁ ଦେଢ଼ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବା ନେଇ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା ।