ଆଜି ଉଦ୍‌ଘାଟନ କରିବେ କେନ୍ଦ୍ର କ୍ରୀଡାମନ୍ତ୍ରୀ

ନୂଆଦିଲ୍ଲୀ,ଏଜେନ୍ସି: ଆଜି (ଶନିବାର) ପଞ୍ଜାବ ରୋପଡରେ ଯୁବ ଉତ୍ସବ-ଇଣ୍ଡିଆ@୨୦୪୭ ଉଦଘାଟନ କରିବେ କେନ୍ଦ୍ର କ୍ରୀଡା ଯୁବ ବ୍ୟାପାର, ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂହ ଠାକୁର । ଏହାସହ ଯୁବ ଉତ୍ସବର ଡ୍ୟାଶବୋର୍ଡ ବି ହେବ ଉଦଘାଟିତ । ଯୁବ ଉତ୍ସବ ସମାନ ସମୟରେ ଉତ୍ତର ପ୍ରଦେଶର ପ୍ରତାପଗଡ, ଉତ୍ତରାଖଣ୍ଡର ହରିଦ୍ୱାର, ମଧ୍ୟପ୍ରଦେଶର ଧର ଓ ହୋଶଙ୍ଗାବାଦ, ରାଜସ୍ଥାନର ହନୁମାନଗଡ, ଝାଡଖଣ୍ଡର ଷଢେଇକଳା, ପଞ୍ଜାବର କପୁରଥଲା, ମହାରାଷ୍ଟ୍ରର ଜଳଗାଁ, ଆନ୍ଧ୍ରପ୍ରଦେଶର ବିଜୟୱାଡା, ତେଲଙ୍ଗାନାର କରିମ ନଗର, କେରଳର ପାଲଖଡ ଓ ତାମିଲନାଡୁର କୁଡାଲୋରରେ ମଧ୍ୟ ଉଦଘାଟିତ ହେବ । ପ୍ରଥମ ପର୍ଯ୍ୟାୟରେ ଚଳିତ ମାର୍ଚ୍ଚ ଶେଷ ସୁଦ୍ଧା ଯୁବଉତ୍ସବ ଦେଶର ୧୫୦ ଜିଲ୍ଳାରେ ଯୁବ ଶକ୍ତିର ପ୍ରଦର୍ଶନ ସ୍ୱରୂପ ଯୁବ ଉତ୍ସବ ପାଳନ କରାଯିବ ।

କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ଏହାର ପ୍ରମୁଖ ସଂଗଠନ ନେହେରୁ ଯୁବ କେନ୍ଦ୍ର ସଂଗଠନ ମାଧ୍ୟମରେ ଏହି “ଯୁବ ଉତ୍ସବ -ଇଣ୍ଡିଆ@୨୦୪୭” କାର୍ଯ୍ୟକ୍ରମକୁ ଆୟୋଜନ କରୁଛି । ଯୁବ ଶକ୍ତିର ଏହି ସର୍ବ ଭାରତୀୟ ପ୍ରଦର୍ଶନ ତ୍ରିସ୍ତରୀୟ ବ୍ୟବସ୍ଥାରେ ଆୟୋଜିତ ହେବାକୁ ଯାଉଛି । ଏଥିରେ ପ୍ରାରମ୍ଭିକ ଭାବେ ମାର୍ଚ୍ଚରୁ ଜୁନ ୨୦୨୩ ମଧ୍ୟରେ ଦିନିକିଆ ଜିଲ୍ଲାସ୍ତରୀୟ ଯୁବଉତ୍ସବ ମାନ ଆୟୋଜିତ ହେବ । ପ୍ରଥମ ପର୍ଯ୍ୟାୟରେ ୧୫୦ ଜିଲ୍ଲାରେ ଉତ୍ସବର ଆୟୋଜନ କରାଯିବ ।

ପ୍ରଥମ ପର୍ଯ୍ୟାୟର କାର୍ଯ୍ୟକ୍ରମ ସମ୍ପୃକ୍ତ ଜିଲ୍ଲା ଗୁଡିକର ସ୍କୁଲ ଓ କଲେଜରେ ଆୟୋଜିତ ହେବ । ଏଥିରେ ଅଧିକରୁ ଅଧିକ ଅଂଶଗ୍ରହଣ ଉପରେ ଗୁରୁତ୍ୱ ରହିବ । ଏହା ବ୍ୟତୀତ ଏଥିରେ ନେହେରୁ ଯୁବ କେନ୍ଦ୍ର ସହିତ ସଂଯୁକ୍ତ କ୍ଲବ ଓ ସଂଗଠନର ସ୍ୱେଚ୍ଛାସେବୀ ଏବଂ ସଦସ୍ୟମାନେ ମଧ୍ୟ ଭାଗ ଦେବେ । ଜିଲ୍ଲାସ୍ତରୀୟ ପ୍ରତିଯୋଗିତାର ବିଜେତାମାନେ ୨୦୨୩ ଅଗଷ୍ଟରୁ ସେପ୍ଟେମ୍ବର ଯାଏଁ ଅନୁଷ୍ଠିତ ହେବାକୁ ଥିବା ଦୁଇଦିନିଆ ରାଜ୍ୟସ୍ତରୀୟ ଉତ୍ସବରେ ଭାଗ ନେବେ । ଏସବୁ ଉତ୍ସବ ସବୁ ରାଜ୍ୟର ରାଜଧାନୀରେ ଆୟୋଜିତ ହେବ । ରାଜ୍ୟସ୍ତରୀୟ ବିଜେତାମାନେ ୨୦୨୩ ଅକ୍ଟୋବର ତୃତୀୟ ଓ ଚତୁର୍ଥ ସପ୍ତାହରେ ନୂଆଦିଲ୍ଲୀରେ ଅନୁଷ୍ଠିତ ଜାତୀୟସ୍ତରର ଯୁବଉତ୍ସବରେ ଭାଗ ନେବେ ।