ବୈଠକକୁ ନେଇ ବିଚଳିତ ଚୀନ, କହିଲା ଶାନ୍ତି ଓ ବିକାଶ ଉପରେ ହେଉ ଆଲୋଚନା

ନୂଆଦିଲ୍ଲୀ,ଏଜେନ୍ସି: ଜାତୀୟ ରାଜଧାନୀ ଦିଲ୍ଲୀରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଛି କ୍ବାଡ ବୈଠକ । ଏଥିରେ ଆମେରିକା ବୈଦେଶିକ ମନ୍ତ୍ରୀ ଆଣ୍ଟୋନୀ ବ୍ଲିଙ୍କେନ, ଜାପାନୀ ସମୀକ୍ଷକ ଯୋଶିମାସା ହୟାସୀ ଓ ଅଷ୍ଟ୍ରେଲିଆ ବୈଦେଶିକ ମନ୍ତ୍ରୀ ପେନି ୱୋଙ୍ଗ ଯୋଗ ଦେଇଥିବା ବେଳେ ଏହି ବୈଠକକୁ ନେଇ ବିଚଳିତ ହୋଇପଡ଼ିଛି ଚୀନ । ଏହି ବୈଠକରେ ଶାନ୍ତି ଓ ବିକାଶ ସହ ଆପୋଷ ବୁଝାମଣା ଏବଂ ଆଞ୍ଚଳିକ ସ୍ଥିରତା ଉପରେ ଆଲୋଚନା ହେଉ ବୋଲି କହିଛି ଚୀନ ।

ଏହି ବୈଠକରେ ଇଣ୍ଡୋ-ପାସିଫିକ ସମ୍ପର୍କରେ ଆଲୋଚନା ହୋଇଛି । ଏହି ଅଞ୍ଚଳ ଉପରେ ଚୀନର ଜୋରଜବରଦସ୍ତ କବଜା ଉପରେ ମଧ୍ୟ ଆଲୋଚନା ହୋଇଥିଲା, ଯାହାକି ଏବେ ସାରା ବିଶ୍ବରେ ଏକ ଚର୍ଚ୍ଚାର ବିଷୟ ପାଲଟିଛି । ଏହା ଉପରେ ୪ ରାଷ୍ଟ୍ର ସମୂହଙ୍କ ପକ୍ଷରୁ ଏକ ମିଳିତି ବିବୃତ୍ତି ଜାରି ହୋଇଥିଲା । ଏକ ମୁକ୍ତ ଏବଂ ଖୋଲା ଭାରତ-ପ୍ରଶାନ୍ତ ମହାସାଗର କ୍ଷେତ୍ରର ପ୍ରତିବଦ୍ଧତା ଲାଗି ୪ ରାଷ୍ଟ୍ର ନିଜ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି । ଏହାସହ ଆଇନ, ସାର୍ବଭୌମତ୍ବ, ଆଞ୍ଚଳିକ ଅଖଣ୍ଡତା ଏବଂ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ଆଦିକୁ ପୂର୍ଣ୍ଣ ସମର୍ଥନ କରିବେ ବୋଲି କହିଛନ୍ତି ୪ରାଷ୍ଟ୍ରର ବୈଦେଶିକ ମନ୍ତ୍ରୀ ।