ପରଲୋକରେ ୱାଇଏସଆର କଂଗ୍ରେସ ବିଧାୟକ ଜି ଭେଙ୍କଟ ସୁବୈହା

ଅମରାବତୀ,ଏଜେନ୍ସି: ୱାଇଏସଆର କଂଗ୍ରେସ ବିଧାୟକ ଜି ଭେଙ୍କଟ ସୁବୈହାଙ୍କ ପରଲୋକ। ଶନିବାର ୬୨ ବର୍ଷ ବୟସରେ ପରଲୋକ ଘଟିଛି। ସେ ଆନ୍ଧ୍ରପ୍ରଦେଶର ବାଡଭେଲ ନିର୍ବାଚନ ମଣ୍ଡଳିରୁ ନିର୍ବାଚିତ ହୋଇଥିଲେ। ସେ କଡପ୍ପାର ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ଏନେଇ ତାଙ୍କ ପରିବାର ସଦସ୍ୟ ସୂଚନା ଦେଇଛନ୍ତି।

ସେ ଆନ୍ଧ୍ରପ୍ରଦେଶରେ ୱାଇଏସଆର କଂଗ୍ରେସ ଦଳର ନେତା ଭାବରେ ସକ୍ରିୟ ରହିଥିଲେ। ତାଙ୍କର ସ୍ତ୍ରୀ ସହ ଦୁଇ ଜଣ ପୁଅ ରହିଛନ୍ତି। ନିକଟରେ ସେ ହାଇଦ୍ରାବାଦରେ ଆଣ୍ଠୁଗଣ୍ଠି ଚିକତ୍ସା କରି ଫେରିଥିଲେ। ଏହା ସହ ସେ ନିଜ ନିର୍ବାଚନ ମଣ୍ଡଳର ଲୋକଙ୍କ ସହିତ ମଧ୍ୟ ଭେଟିଥିଲେ ଏବଂ ନିକଟରେ ହୋଇଥିବା ପୌର ନିର୍ବାଚନ ପାଇଁ ପ୍ରଚାର କରିଥିଲେ। ଏହାପରେ ପୁଣି ଅସୁସ୍ଥ ହେବା ଯୋଗୁଁ କଡପ୍ପାରେ ଏକ ହସପିଟାଲରେ ଭର୍ତ୍ତି କରାଯାଇଥିଲା।ବିଧାୟକ ଭେଙ୍କେଟ ସୁବୈହା ୨୦୧୯ ସାଧାରଣ ନିର୍ବାଚନରେ ବାଡଭେଲ ବିଧାନସଭା ଆସନରେ ପ୍ରତିଦ୍ବନ୍ଦିତା କରି ଟିିଡିପି ବିଧାୟକ ଓବୁଲାପୁରମ ରାଜଶେଖରଙ୍କୁ ୪୪,୦୦୦ ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ।

ବିଧାୟକଙ୍କ ପରଲୋକରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସଆର ଜଗନମୋହନ ରେଡ୍ଡି ଗଭୀର ଦୁଃଖ ପ୍ରକାଶ କରିଛନ୍ତି ତାଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି । ଏହା ସହ ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି ।