ଲକ୍ଷ୍ନୌ,ଏଜେନ୍ସି: ଉତ୍ତରପ୍ରଦେଶର କାନପୁର ସ୍ଥିତ ଏଲପିଏସ ଇନଷ୍ଟିଚ୍ୟୁଟ ଅଫ କାର୍ଡିଓଲୋଜି ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଛି। ରବିବାର ସକାଳେ ହସ୍ପିଟାଲର ପ୍ରଥମ ମହଲାରେ ଥିବା ଆଇସିୟୁରେ ନିଆଁ ଲାଗିଥିଲା। ନିଆଁ ଲାଗିବା ପରେ ହସ୍ପିଟାଲ ପରିସରରେ ଭୟର ବାତାବରଣ ଖେଳିଯାଇଛି। ହସ୍ପିଟାଲର ତଳ ଓ ପ୍ରଥମ ମହଲାର କାଚ ଭାଙ୍ଗି ରୋଗୀମାନେ ବାହାରକୁ ବାହାର କରାଯାଇଥିବା ବେଳେ ଦୁଇ ରୋଗୀଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।
ସୂଚନା ପାଇବା ମାତ୍ରେ ପୁଲିସ ଏବଂ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଚେଷ୍ଟା କରୁଛନ୍ତି। କାନପୁର ପୁଲିସ କମିସନର ଅସୀମ ଅରୁଣ କହିଛନ୍ତି ଯେ, ସକାଳ ୭ଟା ୪୦ ମିନିଟରେ କାର୍ଡିଓଲୋଜୀର ଆଇସିୟୁରେ ନିଆଁ ଲାଗିଥିଲା। ଏହାର କାରଣ ତଦନ୍ତ ପରେ ଜଣାପଡିବ । ଦମକଳବାହିନୀ ତୁରନ୍ତ ନିଆଁଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିଲେ।
ପ୍ରାୟ ୧୩୮ ରୋଗୀଙ୍କୁ ଆଇସିୟୁରୁ ସୁରକ୍ଷିତ ଭାବେ ବାହାର କରାଯାଇଛି। ସୂଚନାଯୋଗ୍ୟ ଯେ ଏହି ହସ୍ପିଟାଲ ହେଉଛି କାନପୁରରେ ଥିବା ସବୁଠାରୁ ବଡ ସରକାରୀ ମେଡିକାଲ। ଏଠାକୁ କାନପୁର ଆଖପାଖ ଅଞ୍ଚଳରୁ ଅନେକ ହୃଦରୋଗୀ ଅପରେସନ ଓ ଚିକିତ୍ସା ପାଇଁ ଆସିଥାନ୍ତି। ତେବେ ଏନେଇ ସିଏମ ଯୋଗୀ ଆହତମାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇବା ଏବଂ ତଦନ୍ତ ପରେ ଘଟଣାର ରିପୋର୍ଟ ଦେବାକୁ ଜିଲ୍ଲା ପ୍ରଶାସନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ ସମସ୍ତ ଡାକ୍ତରଖାନାରେ ଅଗ୍ନିଶମ ସେବା ଯାଞ୍ଚ କରିବାକୁ କହିଛନ୍ତି।