ପ୍ରେମିକ ରାଜା ହିଁ ନିହାରିକାର ହତ୍ୟାକାରୀ

କଟକ,ଏନ୍ଏନ୍ଏସ୍: ବହୁ ଚର୍ଚ୍ଚିତ ନର୍ସ ନିହାରିକା ପାତ୍ରର ମୃତ୍ୟୁ ରହସ୍ୟର ପର୍ଦ୍ଦାଫାଶ ହୋଇଛି। ନିହାରିକାକୁ ଅନ୍ୟ କେଉଁଠାରେ ନୁହେଁ କଟକ ସହର ଭିତରେ ହତ୍ୟା କରାଯାଇଛି ବୋଲି ଜଗତସିଂହପୁର ପୁଲିସ ଏସପି କହିଛନ୍ତି। ତାଙ୍କର କହିବା ଅନୁସାରେ, ରାଜା ନିହାରିକାକୁ ନେଇ କଟକ ଚାଉଳିଆଗଞ୍ଜ ସ୍ଥିତ ସାଂଗ ଭଡା ଘରକୁ ଆଣିଥିଲା। ରାଜା ବେକାରୀ ଥିବା ଯୋଗୁଁ ଉଭୟଙ୍କ ମଧ୍ୟରେ ବିବାଦ ଉପଜିଥିଲା। କୌଣସି କାରଣରୁ ତାଙ୍କ ମଧ୍ୟରେ ବଚସା ହୋଇଥିଲା। ରାଜା ଉତ୍ତ୍ୟକ୍ତ ହୋଇ ନିହାରିକାର ତଣ୍ଟି ଚିପି ଦେଇଥିଲା। ସେଠାରୁ ଏକ ବାଇକ୍ ଯୋଗେ ବସ୍ତାରେ ଲଦି ବିଲୁଆଖାଇ ନଦୀ ପଠାରେ ଫୋପାଡି ଫେରାର ହୋଇଯାଇଥିଲା। ଏନେଇ ରାଜା ଉତକ୍ଷିପ୍ତ ହୋଇ ନିହାରିକାଙ୍କ ତଣ୍ଟି ଚିପି ଦେଇଥିବା ସ୍ୱୀକାର କରିଛି।

ସୂଚନା ଅନୁଯାୟୀ କଟକର ଏକ ନର୍ସିଂ ହୋମରେ କାମ କରୁଥିବା ଖୋର୍ଦ୍ଧା ଜିଲ୍ଲା ହିଙ୍ଗାରପୁରଅଞ୍ଚଳର ନିହାରିକା ପାତ୍ର ଗତ ୮ତାରିଖରୁ କେଉଁଆଡେ ନିଖୋଜ ହୋଇଯାଇଥିଲେ। ସେ କାମ କରୁଥିବା ନର୍ସିଂ ହୋମର ସିସିଟିଭି ଫୁଟେଜ ଅନୁଯାୟୀ ସେହିଦିନ ଅପରାହ୍ଣରେ ତାଙ୍କ ପୁରୁଷ ବନ୍ଧୁ କିଶୋର ଅଞ୍ଚଲ ଓରଫ ରାଜାଙ୍କ ସହିତ ବାଇକ୍ରେଯାଇଥିଲେ ହେଁ ଫେରିନଥିଲେ। ଝିଅକୁ ଖୋଜାଖୋଜି କରିବା ପରେ କୌଣସି ସନ୍ଧାନ ନପାଇବାରୁ ପିରବାର ପକ୍ଷରୁ ମଧୁପାଟଣା  ଥାନାରେ ଅଭିଯୋଗ ହୋଇଥିଲା। ଏମିତିକି ରାଜାକୁ ଫୋନ କରିବାରେ ନିହାରିକାଙ୍କ ସମ୍ପର୍କରେ ସନ୍ତୋଷ ଜନକ ଉତ୍ତର ମିଳିପାରିନଥିଲା।

ଅପରପକ୍ଷେ ଗତ ମଙ୍ଗଳବାର ଜଗତସିଂହପୁର ଜିଲ୍ଲା ବିରିଡ଼ି ଥାନା ଅନ୍ତର୍ଗତ ବିଲୁଆଖାଇ ନଦୀପଠାରୁ ନିହାରିକାଙ୍କ ମୃତଦେହ ଏକ ବସ୍ତା ଭିତରୁ ଗଳିତ ଅବସ୍ଥାରେ ଉଦ୍ଧାର କରଯାଇଥିଲା। ନିହାରିକାଙ୍କ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ଶବକୁ ଚିହ୍ନଟ କରିଥିଲେ। ଏହି ଘଟଣାରେ ନିହାରିକାଙ୍କ ପରିବାର ଲୋକେ ରାଜାଙ୍କ ସମ୍ପୃକ୍ତିକୁ ନେଇଅଭିଯୋଗ କରିଥିଲେ। ସେହିଭଳି ଶୁକ୍ରବାର ଅଭିଯୁକ୍ତ ରାଜାକୁ ପୁଲିସ ଗିରଫ କରିଥିଲା।