ହାବିଲଦାର ରଞ୍ଜନ ସାହୁ ଗିରଫ

ବାଲେଶ୍ୱର,ଏନ୍ଏନ୍ଏସ୍: ବାଲେଶ୍ଵର ସହଦେବଖୁଣ୍ଟା ଥାନା ଅଧିନ ବିଚାରଗଞ୍ଜ ଫାଣ୍ଡିର ହାବିଲଦାର ରଞ୍ଜନ କୁମାର ସାହୁଙ୍କୁ ଏସଟିଏଫ୍ ଦ୍ୱାରା ଗିରଫ ପରେ କୋର୍ଟ ଚାଲାଣ କରାଯାଇ ବାଲେଶ୍ଵର ଜେଲକୁ ସ୍ଥାନାନ୍ତର କରାଯାଇଛି। ଗତ ୧୯ ତାରିଖରେ ରଞ୍ଜନ କୁମାର ସାହୁ ଓ ପ୍ରଦୀପ କୁମାର ଦେ’ଙ୍କୁ ବାଲେଶ୍ଵର ଏସପି କାର୍ୟ୍ୟରୁ ନିଲମ୍ବନ କରିଥିଲେ। ଗୁପ୍ତ ତଥ୍ୟ ଅନୁସାରେ, ରଞ୍ଜନ କୁମାର ସାହୁର ଆନ୍ତର୍ଜାତୀୟ ବ୍ରାଉନ ସୁଗର ମାଫିଆ ଶେଖ ରାଜା ସହ ସିଧା ସଳଖ ସମ୍ପର୍କ ରହିଥିଲା। ଯାହା ଫଳରେ ପୁଲିସ ବିଭିନ୍ନ ସମୟରେ ଚଢ଼ାଉ କରିଥିଲେ ମଧ୍ୟ ରାଜାକୁ ଗିରଫ କରିବାରେ ସକ୍ଷମ ହୋଇପାରୁନଥିଲା।

ଏବେ ରଞ୍ଜନକୁ ଏସଟିଏଫ ଗିରଫ କରିବା ପରେ ତାର ଆନ୍ତର୍ଜାତୀୟ ସମ୍ପର୍କର ଗୁମର ଖୋଲୁଥିବା ବେଳେ ରାଜା ସହ ଥିବା ବିଭିନ୍ନ ଲିଙ୍କକୁ ମଧ୍ୟ ଛାନଭିନ୍ କରୁଛି। ପ୍ରାଥମିକ ପର୍ୟ୍ୟାୟରେ ଆଜି ରଞ୍ଜନଙ୍କୁ ରାଜା ଲିଙ୍କ ନେଇ ଗିରଫ କରାଯାଇଥିବା ବେଳେ ଗିରଫ ସଂଖ୍ୟା ବଢ଼ିପାରେ ବୋଲି ସନ୍ଦେହ କରାଯାଉଛି।