ପିକଅପ ଧକ୍କାରେ ଯୁବକ ଗୁରୁତର

ଦେବଗଡ଼,ଏନ୍ଏନ୍ଏସ୍ : ଦେବଗଡ଼ ଥାନା ଅନ୍ତର୍ଗତ ବଳମ ଗ୍ରାମ ଦେଇ ଯାଇଥିବା ୪୯ନମ୍ବର ଜାତୀୟ ରାଜପଥରେ ଗତକାଲି ରାତିରେ ଏକ ପିକଅପ ଭ୍ୟାନ ଧକ୍କାରେ ଜଣେ ଯୁବକ ଗୁରୁତର ହୋଇଥିବା ଜଣାପଡ଼ିଛି। ମିଳିଥିବା ରିପୋର୍ଟ ମୁତାବିକ, ଗତକାଲି ରାତି ପ୍ରାୟ ସାଢ଼େ ୯ଟା ସମୟରେ ବଳମ ହାଟପଦା ସାହିର ପୁଲୌସ୍ତି ପ୍ରଧାନଙ୍କ ପୁଅ ଗୁରୁଚରଣ ପ୍ରଧାନ (୩୮) ଔଷଧ ପାଇଁ ନିଜ ଘରୁ ଏକ ବାଇକ ଯୋଗେ କଣ୍ଢଳ ଗ୍ରାମ ଅଭିମୁଖେ ଯାଉଥିଲେ। ଗୁରୁଚରଣ ବଳମ ରାଜବଗିଚାରୁ ୪୯ନମ୍ବର ଜାତୀୟ ରାଜପଥକୁ ପହଂଚିବା ପରେ ବାରକୋଟ ପଟୁ ବଳମ ଅଭିମୁଖେ ଆସୁଥିବା ଓରିଏଣ୍ଟାଲ କନଷ୍ଟ୍ରୋକ୍ସନରେ ନିୟୋଜିତ ପିକଅପ ଭ୍ୟାନ ଚାଳକଙ୍କ ବେପରୁଆ ଗାଡ଼ି ଚାଳନା ଯୋଗୁ ଦୁର୍ଘଟଣା ହୋଇଥିଲା। ଫଳରେ ଗୁରୁଚରଣ ରାସ୍ତା ଉପରକୁ ଛିଟିକି ପଡ଼ି ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଗାଡ଼ି ଧକ୍କାରେ ଗୁରୁଚରଣଙ୍କ ଡାହାଣ ଗୋଡ଼ ଭାଙ୍ଗି ଯାଇଥିବା ଜଣାପଡ଼ିଛି। ସୂଚନା ପାଇ ଦେବଗଡ଼ ଥାନା ପୁଲିସ ଏକ ମାମଲା ରୁଜୁ କରିବା ସହ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରିଥିବା ଜଣାପଡ଼ିଛି।