ମହାନଦୀକୁ ଯୁବକ ଡେଇଁବା ଘଟଣା, ଯୋବ୍ରା ବ୍ୟାରେଜରୁ ମିଳିଲା ମୃତଦେହ

କଟକ,ଏନ୍ଏନ୍ଏସ୍: ଜିଲ୍ଲାର ଚହଟା ଘାଟରେ ମହାନଦୀକୁ ଡେଇଁ ସୋମବାର ଯୁବକ ନିଖୋଜ ହୋଇଥିବା ଘଟଣା । ମଙ୍ଗଳବାର ଯୋବ୍ରା ବ୍ୟାରେଜରୁ ମିଳିଲା ଯୁବକଙ୍କ ମୃତଦେହ । ଯୋବ୍ରା ବ୍ୟାରେଜର ୧୦ ନମ୍ବର ଗେଟ ଲାଗିଥିବା ସମୟରେ ମୃତଦେହଟିକୁ ଅଗ୍ନିଶମ ବାହିନୀ ସହାୟତାରେ ଉଦ୍ଧାର କରିଛି ଜଗତପୁର ପୋଲିସ । ସମ୍ପୃକ୍ତ ଯୁବକଙ୍କ ନାଁ ଧନଞ୍ଜୟ ପଣ୍ଡା ଓ ତାଙ୍କ ବୟସ ବୟସ ୩୧ ବର୍ଷ ବୋଲି ଜଣାପଡିଛି ।

ସୋମବାର ସକାଳୁ ଧନଞ୍ଜୟ ମହାନଦୀକୁ ଡେଇଁଥିଲେ । ଧନଞ୍ଜୟ କଟକର ଏକ ଘରୋଇ ସଂସ୍ଥାରେ କାମ କରୁଥିଲେ ଏବଂ ବିଡାନାସୀ ଅଞ୍ଚଳରେ ଥିବା ନିଜ ମାମୁଁ ଘରେ ରହୁଥିଲେ । କୌଣସି କାରଣରୁ ମାନସିକ ଅବସାଦ ମଧ୍ୟରେ ରହୁଥିବା ଧନଞ୍ଜୟ ଆତ୍ମହତ୍ୟା କରିବାକୁ ଯାଉଥିବା ନେଇ ତାଙ୍କ ପରିବାର ଲୋକଙ୍କୁ ହ୍ବାଟ୍ସଆପ କରିଥିବା ଜଣାପଡିଛି ।

ତେବେ ସୂଚନା ଥାଉକି, ସୋମବାର ଭୋର ୫ଟା ବେଳେ ସେ ନଦୀକୁ ଡେଇଁ ପଡ଼ିଥିଲେ । ଅଗ୍ନିଶମ ବିଭାଗର ଖୋଜାଖୋଜି ଜାରି ରଖିଥିବା ବେଳେ ତାଙ୍କର ମୃତଦେହ ମିଳିନଥିଲା । ଯୁବକ ଜଣକ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି କୁହାଯାଉଥିଲା । କାରଣ ସେ ନିଜ ପରିବାର ହ୍ବାଟ୍ସଆପ ଗ୍ରୁପରେ ଆତ୍ମହତ୍ୟା କରିବାକୁ ଯାଉଛନ୍ତି ବୋଲି ଲେଖିଥିଲେ ।