କଥା ରଖିଲେ ରାଜ୍ୟପାଳ ଗଣେଶୀ ଲାଲ୍, ଅତିଥି ରୂପେ କର୍ମଚାରୀଙ୍କ ପରିବାରରେ ସାମିଲ

ନିଆଳି,ଏଜେନ୍ସି: କର୍ମଚାରୀଙ୍କ କଥା ରଖିଲେ ରାଜ୍ୟପାଳ ଗଣେଶୀ ଲାଲ । କର୍ମଚାରୀଙ୍କ ଘରକୁ ଗଲେ ରାଜ୍ୟପାଳ । ରାଜଭବନରେ ରାଜ୍ୟପାଳଙ୍କୁ ସେବା ଯୋଗାଉଥିବା ସ୍ମୃତିରଞ୍ଜନ ବାରିକ ଓରଫ ହାପିଙ୍କ ଘରକୁ ଅତିଥି ଭାବେ ଯାଇ ପରିବାରକୁ ଭେଟିଛନ୍ତି ରାଜ୍ୟପାଳ । ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ କୁରୁଞ୍ଜିପୁର ପଞ୍ଚାୟତର ନିଶ୍ଚିତପୁର ଗ୍ରାମରେ ସ୍ମୃତି ରଞ୍ଜନଙ୍କ ଘର । ମଙ୍ଗଳବାର ରାଜ୍ୟପାଳ ସ୍ମୃତିଙ୍କ ଗାଁକୁ ଗସ୍ତ କରିଥିଲେ । ସେଠାରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । ହାପିଙ୍କ ଘରେ କିଛି ସମୟ ବିତାଇବା ସହ ପୋଡପିଠା ଖାଇଥିଲେ । ହାପି ମୋ ପରିବାରର ସଦସ୍ୟ ବୋଲି କହିଥିଲେ ରାଜ୍ୟପାଳ ଗଣେଶୀ ଲାଲ ।

ସ୍ମୃତିରଞ୍ଜନ ବାରିକ ରାଜ୍ୟପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟ କରନ୍ତି । ହାପିଙ୍କୁ ରାଜଭବନରେ ନାପିତ ଭାବେ ସେବା କରିବାର ସୁଯୋଗ ମିଳିଛି । ସେ ପ୍ରତି ୨୦ ଦିନରେ ଥରେ ରାଜ୍ୟଭବନକୁ ଯାଆନ୍ତି । ତାଙ୍କ ସେବା ଓ ବ୍ୟବହାର ପାଇଁ ସେ ରାଜ୍ୟପାଳଙ୍କ ପ୍ରିୟଭାଜନ ହୋଇଥିଲେ । ସ୍ମୃତି ରଞ୍ଜନଙ୍କ ଘରକୁ ଗସ୍ତ କରି ତାଙ୍କ ପରିବାର ଲୋକଙ୍କୁ ଭେଟି କିଛି ସମୟ ଅତିବାହିତ କରିଥିଲେ । ହାପି ତାଙ୍କ ପରିବାରର ସଦସ୍ୟ ବୋଲି କହିଥିଲେ ରାଜ୍ୟପାଳ । ପୂର୍ବରୁ ମଧ୍ୟ ରାଜ୍ୟପାଳଙ୍କ ସ୍ବାସ୍ଥ୍ୟସେବାରେ ନିୟୋଜିତ ଥିବା ଜଣେ ମହିଳା କର୍ମଚାରୀଙ୍କ ଗାଁକୁ ଗସ୍ତ କରି ତାଙ୍କ ପରିବାର ଲୋକଙ୍କ ଭେଟିଥିଲେ ରାଜ୍ୟପାଳ ଗଣେଶୀ ଲାଲ ।

ଗତ ଏପ୍ରିଲ୍ ମାସରେ ଝିଅର ଜନ୍ମଦିନ ଉପଲକ୍ଷେ ରାଜ୍ୟପାଳଙ୍କୁ ନିମନ୍ତ୍ରଣ କରିଥିଲେ ସ୍ମତି ରଞ୍ଜନ । ଦିଲ୍ଲୀ ଗସ୍ତରେ ଥିବା ଆସିପାରିନଥିଲେ ରାଜ୍ୟପାଳ ମାତ୍ର ଅନ୍ୟ କେଉଁ ଦିନ ଯିବେ ବୋଲି କଥା ଦେଇଥିଲେ ଆଉ କଥା ରଖି ସ୍ମୃତିଙ୍କ ଘରକୁ ଅତିଥି ଭାବେ ଯୋଗ ଦେଇଥିଲେ ରାଜ୍ୟପାଳ । ଗାଁରେ ପହଞ୍ଚିବା ପରେ ରାଜ୍ୟପାଳଙ୍କୁ ଗ୍ରାମବାସୀଙ୍କ ପକ୍ଷରୁ ଭବ୍ୟ ସ୍ଵାଗତ କରାଯାଇଥିଲା । ପ୍ରାୟ ଅଧଘଣ୍ଟା ସ୍ମୃତିରଞ୍ଜନଙ୍କ ଘରେ ରହି ତାଙ୍କ ପରିବାର ସହିତ ସମୟ ବିତାଇବା ସହ ଫଟୋ ମଧ୍ୟ ଉଠାଇଥିଲେ ।

ସ୍ମୃତି ରଞ୍ଜନଙ୍କ ପରିବାର ପକ୍ଷରୁ ରାଜ୍ୟପାଳଙ୍କୁ ମହାପ୍ରଭୁ ଜଗନ୍ନାଥଙ୍କ ଫଟୋ ଚିତ୍ର ପ୍ରଦାନ କରାଯାଇଥିଲା । ଏହାପରେ ଭୁବନେଶ୍ଵର ଫେରିଯାଇଥିଲେ ରାଜ୍ୟପାଳ । ରାଜ୍ୟପାଳଙ୍କ ଆଗମନରେ ସ୍ମୃତିରଞ୍ଜନଙ୍କ ସହିତ ତାଙ୍କ ଗ୍ରାମବାସୀ ଖୁସି ବ୍ୟକ୍ତ କରିଛନ୍ତି । ରାଜ୍ୟପାଳଙ୍କ ଆଗମନକୁ ଦେଖି କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।