ମୃତ ବାପାଙ୍କ ଟଙ୍କା ହାତେଇବା ପାଇଁ ବଡ ଭାଇକୁ ହତ୍ୟା କଲା ସାନଭାଇ

ସଇଁନ୍ତଳା,ଏନ୍ଏନ୍ଏସ୍: ଘରବାଡି, ସମ୍ପତ୍ତି, ଟଙ୍କା ପଇସାକୁ ନିଜର ସର୍ବ ସ୍ୱଭାବି ମଣିଷ ଜଘନ୍ୟ କାଣ୍ଡଘଟାଇବାକୁ ମଧ୍ୟ ପଛଉନି। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ଟିଟିଲାଗଡରେ। ଟିଟିଲାଗଡ ପୌରପରିଷଦ ଅନ୍ତର୍ଗତ ୱାର୍ଡ ନଂ ୧୪ ହାଟପଦା ପଡ଼ା (ଗୋରୁବଜାର)ର ସ୍ଵର୍ଗତ ଦିଜିଲି ବେହେରାଙ୍କ ବଡପୁଅ ସଞ୍ଜୟ ବେହେରା (୩୩) ଗତ ଅକ୍ଟୋବର ୪ ତାରିଖରୁ ନିଖୋଜ ଥିବାବେଳେ ଏନେଇ ପରିବାର ଲୋକେ ଟିଟିଲାଗଡ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏନେଇ କେସ ନଂ- ୭୭/୨୦୨୧ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ଆଜି ଟିଟିଲାଗଡ଼-ବେଲଗାଁ ରାସ୍ତା ଝାଡଦେବନ୍ଧ ନିକଟରେ ଥିବା ଜଙ୍ଗଲ ଭିତରୁ ଉକ୍ତ ନିଖୋଜ ସଞ୍ଜୟର ମୃତ ଦେହ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ ସଞ୍ଜୟଙ୍କ ପିତା ଦିଜିଲି ବେହେରା ବିଦ୍ୟୁତ ବିଭାଗ କର୍ମଚାରୀ ଥିଲେ। କିଛି ଦିନ ପୂର୍ବରୁ ତାଙ୍କ ମୃତ୍ୟୁ ହୋଇଥିବାବେଳେ ତାଙ୍କ ସ୍ତ୍ରୀ’ଙ୍କୁ ବିଜୁଳି ବିଭାଗ ତରଫରୁ ମିଳିଥିବା ଟଙ୍କାକୁ ନେଇ ପରିବାରରେ ଅଶାନ୍ତି ଲାଗି ରହିବା ସହ ଭାଇଭାଇଙ୍କ ମଧ୍ୟରେ ଝଗଡା ଲାଗି ରହିଥିଲା।

ଟଙ୍କା ଭାଗବଣ୍ଟାକୁ ନେଇ ସଞ୍ଜୟକୁ ସାନ ଭାଇ ପ୍ରମୋଦ ବେହେରା(୨୭) ନିଜେ ହତ୍ୟା କରି ପୋତି ଦେଇଥିବା ଜଣାପଡିଛି। ଘଟଣାସ୍ଥାନରେ ଟିଟିଲାଗଡ ଏସଡିପିଓ ସୁରେନ୍ଦ୍ର ନାଥ ଶତପଥୀ, ଥାନାଧିକାରୀ ରଞ୍ଜନ କୁମାର ବରିହା ଏବଂ ସାଇଣ୍ଟିଫିକ ଟିମ ପହଞ୍ଚି ଉପଜିଲ୍ଲାପାଳ ଡ.ଲଲିତ ବାଗଙ୍କ ଉପସ୍ଥିତରେ ମାଟି ଖୋଳି ଶବ ଉଦ୍ଧାର କରିଛି ପୁଲିସ। ଏନେଇ ପୁଲିସ ପ୍ରମୋଦକୁ ଅଟକ ରଖି ପଚରାଉଚରା କରିଥିଲା। ଏହା ପରେ ପୂରା ଘଟଣା ସାମ୍ନାକୁ ଆସିଥିଲା। ସଞ୍ଜୟଙ୍କୁ ହତ୍ୟା କରି ଜଙ୍ଗଲରେ ପୋତି ଦେଇଥିବା କଥା ପ୍ରମୋଦ ପୁଲିସ ସାମ୍ନାରେ ସ୍ୱୀକାର କରିଥିଲା।