ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକରେ ଏକ ଅଭାବନୀୟ ଘଟଣା ଘଟିଛି । ବଡ଼ ଭାଇର ଟାଙ୍ଗିଆ ଚୋଟରେ ସାନ ଭାଇ ଗୁରୁତର ହୋଇଥିବାବେଳେ ମା’ ଓ ଭାଇବୋହୂ ଆହତ ହୋଇଥିବା ଜଣାପଡ଼ିଛି । ସଇଁନ୍ତଲା ପୁଲିସ ଆକ୍ରମଣ କରିଥିବା ଲାଲୁ ଯାନୀ(୪୫)ଙ୍କୁ ଥାନାକୁ ଆଣି ତଦନ୍ତ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି ।
ମିଳିଥିବା ରିପୋର୍ଟ ମୁତାବକ, ଅଭିଯୁକ୍ତ ଲାଲୁ ଯାନୀ ଓ ତାଙ୍କ ସାନ ଭାଇ ବୈଶାଖୁ ଯାନୀ(୩୦)ଙ୍କ ମଧ୍ୟରେ କିଛି କଥାକୁ ନେଇ ଗଣ୍ଡଗୋଳ ହୋଇଥିଲା । ଏହାକୁ କେନ୍ଦ୍ର କରି ଗତକାଲି ଭୋର ସମୟରେ ଭାଇ ବୈଶାଖୁ, ଭାଇବୋହୂ ବେଲମତୀ ଯାନୀ(୨୮) ଓ ମା’ ଉଲା ଯାନୀ(୬୦) ଘରେ ଶୋଇଥିବାବେଳେ ଲାଲୁ ସେମାନଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲା । ବୈଶାଖୁଙ୍କ ଉପରେ ୩ରୁ ୪ ଚୋଟ ପଡ଼ିଥିବାବେଳେ ଗୁରୁତର ହୋଇ ପ୍ରଥମେ ବଲାଙ୍ଗୀର ଡାକ୍ତରଖାନା ଏବଂ ପରେ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରୁ ବୁର୍ଲା ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି । ଅନ୍ୟପଟେ ବେଲମତୀ ଓ ତାଙ୍କ ମା’ ମଧ୍ୟ ଆକ୍ରମଣରେ ଆହତ ହୋଇଛନ୍ତି । ଉଭୟଙ୍କୁ ଗାଁ ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସଇଁନ୍ତଲା ଡାକ୍ତରଖାନାକୁ ଆଣି ପ୍ରାଥମିକ ଚିକିତ୍ସା ପରେ ବଲାଙ୍ଗିର ଭୀମଭୋଇ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଖବର ପାଇ ସଇଁନ୍ତଲା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ଲାଲୁକୁ ଥାନାକୁ ଆଣି ପଚରାଉଚୁରା କରିବା ପରେ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି ।