୨ ପୁଅ ଓ ପତ୍ନୀଙ୍କୁ ହତ୍ୟା ପରେ ଆତ୍ମହତ୍ୟା କଲେ ଯୁବକ

ନୂଆଦିଲ୍ଲୀ,ଏଜେନ୍ସି: ଦିଲ୍ଲୀର ଜଣେ ଯୁବକ ନିଜ ପରିବାରରେ ଦେଖାଯାଇଥିବା ଅସୁବିଧାକୁ ସହ୍ୟ କରି ନ ପାରିବାରୁ ଏକ ବଡ଼ ଧରଣର ଅପରାଧ କରିଛନ୍ତି। ରୋହିଣୀ (ଉତ୍ତର)ର ନାହରପୁର ଗାଁରେ ପତ୍ନୀ ଓ ୨ ଜଣ ପୁତ୍ର ସନ୍ତାନକୁ ହତ୍ୟା କରିବା ପରେ ଯୁବକ ଜଣକ ଘର ଭିତରେ ପଙ୍ଖାରେ ଝୁଲି ଆତ୍ମହତ୍ୟା କରିଛନ୍ତି। ମୃତକମାନେ ହେଲେ ଅଭିଯୁକ୍ତ ଧୀରଜ ଯାଦବ(୨୯), ପତ୍ନୀ ଆରତୀ ଯାଦବ(୨୮), ପୁଅ ହିତେନ(୬) ଓ ଅଥର୍ବ(୩)।

ପୁଲିସର ପ୍ରାରମ୍ଭିକ ତଦନ୍ତ ଅନୁସାରେ ଧୀରଜଙ୍କ ବଡ଼ ପୁଅ କଥା କହିପାରୁ ନଥିବା ବେଳେ ସାନ ପୁଅ ଦିବ୍ୟାଙ୍ଗ ଥିଲା। ଫଳରେ ମା’ଙ୍କର ମାନସିକ ସ୍ଥିତି ଠିକ୍ ନଥିଲା। ଏହି କାରଣରୁ ପତି-ପତ୍ନୀଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ଲାଗୁଥିଲା। ପୁଲିସକୁ ଏକ ସୁଇସାଇଡ ନୋଟ୍ ମଧ୍ୟ ମିଳିଛି। ଯେଉଁଥିରେ କି ଧୀରଜ ନିରାଶ ହୋଇଥିବା କଥା ଉଲ୍ଲେଖ କରିଛି। ପୁଲିସ ଘଟଣାକୁ ନେଇ ତଦନ୍ତ ଆରମ୍ଭ କରିଛି।