ଜିଲ୍ଲାପାଳଙ୍କ ଗାଡି ଧକ୍କାରେ ଯୁବକ ଗୁରୁତର: ଗ୍ରାମବାସୀଙ୍କ ରାସ୍ତା ରୋକ ଜିଲ୍ଲା By Nitidin Last updated Dec 27, 2020 Share ଦେବଗଡ଼,ଏନ୍ଏନ୍ଏସ୍: କୁଣ୍ଢେଇଗୋଳା ଥାନା ଖଇରପାଲି ଫାଣ୍ଡି ଅନ୍ତର୍ଗତ ପଲସମା ଗ୍ରାମରେ ଆଜି ଦେବଗଡ଼ ଜିଲ୍ଲାପାଳଙ୍କ ଗାଡି ଧକ୍କାରେ ଜଣେ ଯୁବକ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ଯୁବକ ଜଣଙ୍କ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଏନେଇ ଉତ୍ତ୍ୟକ୍ତ ଗ୍ରାମବାସୀ ରାସ୍ତା ରୋକ କରିଥିଲେ। ସୂଚନା ଅନୁଯାୟୀ ଆଜି ଦିନ ପ୍ରାୟ ୧୨ଟା ସମୟରେ ପଲସମା ଗ୍ରାମର ରବି ବାଗାର(୪୦) ଏକ ସାଇକେଲ ଯୋଗେ ଗାଁ ପୋଖରୀକୁ ଗାଧୋଇବାକୁ ଯାଉଥିଲେ। ଏହି ସମୟରେ ଦେବଗଡ଼ ପଟୁ ଅନୁଗୁଳ ଅଭିମୁଖେ ଯାଉଥିବା ଦେବଗଡ଼ ଜିଲ୍ଲାପାଳଙ୍କ ସ୍କର୍ପିଓ ଗାଡି (ଓଡି -୨୮ଇ-୦୬୮୯) ତାଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା। ଧକ୍କା ଫଳରେ ଗାଡିର ନମ୍ବର ପ୍ଲେଟ ଖସି ପଡିଥିବାରୁ ଏହା ଜିଲ୍ଲାପାଳଙ୍କ ଗାଡି ବୋଲି ଗ୍ରାମବାସୀ ଜାଣିବାକୁ ପାଇଥିଲେ। ଜିଲ୍ଲାପାଳଙ୍କ ଗାଡି ଦୁର୍ଘଟଣା ଘଟାଇ ଫେରାର ହୋଇଯିବା ଜଣାପଡିବା ପରେ ସ୍ଥାନୀୟ ଲୋକେ ପଲସମା ଗ୍ରାମ ଦେଇ ଯାଇଥିବା ରାଞ୍ଚି-ବିଜୟୱାଡା ଜାତୀୟ ରାଜପଥକୁ ଅବରୋଧ କରିଥିଲେ। ଅନ୍ୟପଟେ ଗୁରୁତର ରବିକୁ ଖଇରପାଲି ଫାଣ୍ଡି ପୁଲିସ ଫାଣ୍ଡି ଗାଡ଼ିରେ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ପାଇଁ ଆଣୁଥିବା ବେଳେ ବାଟରେ ଆମ୍ବୁଲାନ୍ସରେ ବସାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ପରେ ଖୋଦ ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସି ଆହତ ରବିର ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିବା ସହ ଚିକିତ୍ସା ପାଇଁ ଆର୍ଥିକ ସହାୟତା ପ୍ରଦାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏଥିସହିତ ଗ୍ରାମବାସୀଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିବା ଜଣାପଡ଼ିଛି। Share