ଗଭରାରେ ଯୁବକକୁ ହତ୍ୟା ସନ୍ଦେହ

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ଉପଖଣ୍ଡର ଲରମ୍ଭା ଥାନା ଅନ୍ତର୍ଗତ ଗଭରା ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗାଁର ଚନ୍ଦ୍ରଶେଖର ବାରିହାଙ୍କ ପୁଅ ବିନୋଦ ବାରିହା ଗତକାଲି ସକାଳୁ ସେହି ଗାଁର ହଲୁ ଓ ପ୍ରମୋଦ ସାଙ୍ଗରେ କପା ବାଡ଼ିକୁ କାମ କରିବାକୁ ଯାଇ ଆଉ ନଫେରିବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ । କିଛି ଗ୍ରାମବାସୀ ପୋଖରୀ ହୁଡ଼ାରେ ବିନୋଦର ମୃତଦେହକୁ ଦେଖି ପରିବାର ଲୋକଙ୍କୁ ଖବର ଦେବାରୁ ସେମାନେ ଆସି ମୃତଦେହ ଚିହ୍ନଟ କରି ଲରମ୍ଭା ପୁଲିସକୁ ଖବର ଦେଇଥିଲେ । ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରି ଶବକୁ ଜବତ କରିଛି । ପୁଅକୁ ହତ୍ୟା କରି ପୋଖରୀ କୂଳରେ ପକାଇ ଦିଆଯାଇଥିବା ନେଇ ମୃତ ବିନୋଦର ବାପା ଲରମ୍ଭା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ପାଟଣାଗଡ଼ ଏସଡିପିଓ ଜ୍ୟୋତିର୍ମୟ ଭୁକ୍ତା, ଥାନାଧିକାରୀ ଓ ବଲାଙ୍ଗିରରୁ ସାଇଣ୍ଟିଫିକ ଟିମ ପହଞ୍ଚି ମୃତଦେହକୁ ଦେଖି ଅଧିକ ତଦନ୍ତ ଜାରି ରଖିଛନ୍ତି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣା ସମ୍ପର୍କରେ ଅଧିକ ଜଣାପଡ଼ିବ ବୋଲି ପାଟଣାଗଡ଼ ଏସଡିପିଓ ସୂଚନା ଦେଇଛନ୍ତି । ଏହି ଘଟଣାରେ ଗାଁର ୨ଜଣଙ୍କୁ ସନ୍ଦେହରେ ଅଟକ ରଖାଯାଇଛି ।