ସାମାନ୍ୟ ବଚସାରୁ ଯୁବକକୁ ଛୁରୀ ମାଡ଼, ୩ ଗିରଫ

କେସିଙ୍ଗା,ଏନ୍‌ଏନ୍ ଏସ୍‌: କଳାହାଣ୍ଡି ଜିଲ୍ଲା କେସିଙ୍ଗା ରେଳ ଷ୍ଟେସନ ନିକଟସ୍ଥ ଏକ ହୋଟେଲ ସାମ୍ନାରେ ସାମାନ୍ୟ ବଚସାରୁ ଜଣେ ଯୁବକଙ୍କୁ ଛୁରୀ ମାଡ଼ର ଶିକାର ହୋଇଥିବା ଜଣାପଡ଼ିଛି । ଆହତ ଯୁବକ ଜଣକ ହେଲେ କେସିଙ୍ଗା ୱାର୍ଡ ନଂ ୨ର କେଶବ ନାୟକ । ଅନ୍ୟପଟେ ଏଥିରେ ସମ୍ପୃକ୍ତ ଥିବା ୩ ଅଭିଯୁକ୍ତ ଅଜୟ ମାଝୀ, ଜୟ ସୁନା ଓ ଜଗା ସୁନାକୁ ଗିରଫ କରି କେସିଙ୍ଗା ପୁଲିସ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି । ମିଳିଥିବା ରିପୋର୍ଟ ମୁତାବକ, କେଶବ ବଗାଡ଼ର କିଛି କାମ ପାଇଁ ବଜାରକୁ ଆସିଥିଲେ ଓ ପାଖାପାଖି ରାତି ୧୦ଟା ୩୦ ସମୟରେ ଘରକୁ ଫେରୁଥିଲେ । ରେଳ ଷ୍ଟେସନ ନିକଟସ୍ଥ ରିୟନ୍ସ ହୋଟେଲ ସମ୍ମୁଖରେ ୱାର୍ଡ ନଂ ୧୨ର ୩ଜଣ ଯୁବକ ସହିତ କିଛି କଥାକୁ ନେଇ ବଚସା ହୋଇଥିଲା ଓ ଯାହା ପରବର୍ତ୍ତୀ ମୁହୂର୍ତ୍ତରେ ଉଗ୍ରରୂପ ଧାରଣ କରିବାରୁ ଜଣେ ଯୁବକ ପକେଟରୁ ଛୁରୀ ବାହାର କରି କେଶବଙ୍କୁ ଆକ୍ରମଣ କରିଥିଲା । ଛୁରୀ ଆଘାତରେ କେଶବର ବେକ ଓ ମୁହଁରେ ଗଭୀର କ୍ଷତ ହେବାସହ ପ୍ରଚୁର ରକ୍ତସ୍ରାବ ହୋଇଥିଲା । ସେଠାରେ ଉପସ୍ଥିତ ଲୋକମାନେ କେଶବକୁ ସଙ୍ଗେ ସଙ୍ଗେ କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ ହେଲେ ରକ୍ତସ୍ରାବ ବନ୍ଦ ନହେବାରୁ ପ୍ରାଥମିକ ଚିକିତ୍ସା ପରେ ଭବାନୀପାଟଣା ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ । ଏହି ଘଟଣାକୁ କେସିଙ୍ଗା ପୁଲିସ ଗୁରୁତର ସହ ଗ୍ରହଣ କରି ୩ ଅଭିଯୁକ୍ତ ଅଜୟ ମାଝୀ, ଜୟ ସୁନା ଓ ଜଗା ସୁନାକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି । ଏହି ଘଟଣାକୁ ନେଇ କିଛି ସମୟ ପାଇଁ କେସିଙ୍ଗା ଆଦର୍ଶ ଥାନାରେ ଉତ୍ତେଜନା ପ୍ରକାଶ ପାଇଥିଲା ।