ନଦୀରେ ଭାସୁଥିବା ୩ଜଣଙ୍କ ଜୀବନ ବଞ୍ଚାଇଲେ ଯୁବକ

କେସିଙ୍ଗା,ଏନ୍‌ଏନ୍‌ଏସ୍‌: କଳାହାଣ୍ଡି ଜିଲ୍ଲା କେସିଙ୍ଗା ତେଲନଦୀରେ ଗାଧୋଇବା ସମୟରେ ହଠାତ ନଦୀରେ ପାଣି ବଢ଼ିଯିବାରୁ ୩ଜଣ ମହିଳା ଭାସିଯାଉଥିବା ସମୟରେ ବିନୋଦ ନାଗ ନାମକ ଯୁବକ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଥିବା ଘଟଣା କେସିଙ୍ଗା ସହରରେ ଚର୍ଚ୍ଚାର ବିଷୟ ପାଲଟିଛି । ମିଳିଥିବା ରିପୋର୍ଟ ମୁତାବକ, କେସିଙ୍ଗା ୱାର୍ଡ ନଂ ୧୧ର ୫ଜଣ ମହିଳା ଭୋର ସମୟରେ କେସିଙ୍ଗା ନୂଆଁପୋଲ ନିକଟରେ ଗାଧୋଉଥିବା ବେଳେ ହଠାତ ତେଲ ନଦୀରେ ପାଣି ବଢ଼ି ସମସ୍ତଙ୍କୁ ଭସାଇ ନେଉଥିଲା । ହେଲେ କୌଣସିମତେ ୨ଜଣ ମହିଳା କୂଳରେ ପହଞ୍ଚି ଥିବାବେଳେ ୩ଜଣ ମହିଳା ନଦୀରେ ଭାସି ଯାଉଥିଲେ । ଅନ୍ୟପଟେ ବର୍ତ୍ତି ଯାଇଥିବା ୨ଜଣ ମହିଳାଙ୍କ ଚିତ୍କାର ଶୁଣି ନିକଟରେ ଗାଧୋଉଥିବା ବିନୋଦ ନିଜ ଜୀବନକୁ ବାଜି ଲଗାଇ ୩ଜଣ ମହିଳାଙ୍କୁ ଉଦ୍ଧାର କରିବା ସହ ତାଙ୍କୁ କେସିଙ୍ଗା ଡାକ୍ତରଖାନାକୁ ପଠେଇଥିଲେ । ଏହି ଘଟଣା ଜଣାପଡ଼ିବା ପରେ କେସିଙ୍ଗା ସହରର ଅନେକ ଲୋକ ବିନୋଦଙ୍କୁ ଧନ୍ୟବାଦ ଓ ଶୁଭେଚ୍ଛା ଜଣାଇଛନ୍ତି । ଏଥିସହିତ ତାଙ୍କୁ ସରକାରଙ୍କ ତରଫରୁ ସାହାସିକତା ପୁରସ୍କାର ଦେବା ପାଇଁ ଅନେକ ବୁଦ୍ଧିଜୀବୀ ଓ ସାଧାରଣ ଜନତା ଟ୍ୱିଟ କରି ଜିଲ୍ଲାପାଳ ଓ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଦାବୀ କରିଛନ୍ତି ।