ଟଙ୍କା ଆଣିବାକୁ ଯାଇ ଯୁବକ ନିଖୋଜ

କେସିଙ୍ଗା,ଏନ୍‌ଏନ୍‌ଏସ୍‌: କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କସୃପଡ଼ା ଗ୍ରାମପଞ୍ଚାୟତ ବିନେକେଲା ଗ୍ରାମର ଜଣେ ଯୁବକ ନିଖୋଜ ଥିବା ନେଇ ଅଭିଯୋଗ ହୋଇଛି । ନିଖୋଜ ଜଣକ ହେଲେ ରବି ନାଗ (୩୫) । ରବି ତହସିର ବେଦାନ୍ତ ପାଇପ ଲାଇନ ସେଣ୍ଟ୍ରଟ୍ରିଙ୍ଗ ମିସ୍ତ୍ରୀ ଭାବେ କାମ କରୁଥିଲେ । ମିଳିଥିବା ରିପୋର୍ଟ ମୁତାବକ, ଗତ ୩ ତାରିଖ ରବିବାର ୧୨ଟାରେ ତହସିର ବେଦାନ୍ତରୁ ପେମେଣ୍ଟ ଆଣିକି ଆସୁଛି କହି ରବି ଆଉ ଘରକୁ ଫେରିନଥିଲେ । ଆଉ ହଠାତ କସୃପଡ଼ା ନିକଟରୁ ତାଙ୍କର ମୋବାଇଲ ବନ୍ଦ ହୋଇଯାଇଥିବା ପରିବାର ଲୋକେ କେସିଙ୍ଗା ଆଦର୍ଶ ଥାନାରେ ଗତ ୪ ତାରିଖରେ ଲିଖିତ ଅଭିଯୋଗ କରିଛନ୍ତି । ରବି ଘରୁ ବାହାରିଲା ବେଳେ କଳା ରଙ୍ଗର ଜିନ୍ସ, ନୀଳ ରଙ୍ଗର ସାର୍ଟ ଓ ଗଳାରେ ଏକ ସବୁଜ ରଙ୍ଗର ଗାମୁଛା ପକେଇଥିଲେ । ତାଙ୍କର ଉଚ୍ଚତା ୫.୫ ଇଞ୍ଚ ଓ ଶ୍ୟାମଳ ରଙ୍ଗର ଥିବାବେଳେ ତାଙ୍କ ପାଖରେ ୩,୫୦୦ ଟଙ୍କା ଥିବା ପରିବାର ଲୋକେ ଏତଲାରେ ଦର୍ଶାଇଥିବା ଜଣାପଡ଼ିଛି । ଏନେଇ କେସିଙ୍ଗା ପୁଲିସ ଏକ ନିଖୋଜ ମାମଲା ରୁଜୁ କରି ତଦନ୍ତ ଚାଲୁ ରଖିଥିବା ଆଇଆଇସି ପ୍ରଦ୍ୟୁମ୍ନ୍ନ ମହାପାତ୍ର ସୂଚନା ଦେଇଛନ୍ତି । ନିଖୋଜ ରବିଙ୍କ ବାପା ମା’ଙ୍କ ମୃତ୍ୟୁ ହୋଇଯାଇ ଥିବାବେଳେ ତାଙ୍କର ସାନ ଭାଇ ଗୁଜରାଟର ରାଜକୋଟରେ ମଜୁରିଆ ଭାବେ କାମ କରନ୍ତି । ଶ୍ରୀ ନାଗ ଜଣେ ଶାନ୍ତସିଷ୍ଟ, କର୍ମଠ ଓ ମିଷ୍ଟଭାଷୀ ସ୍ୱଭାବର ବୋଲି ଗ୍ରାମବାସୀମାନେ ପ୍ରକାଶ କରିଛନ୍ତି । ବର୍ତ୍ତମାନ ପରିବାର ଓ ଗ୍ରାମବାସୀମାନେ ଆତଙ୍କିତ ଥିବାବେଳେ କେସିଙ୍ଗା ପୁଲିସ ଉପରେ ଆଶାବାଦୀ ଥିବା ଜଣାପଡ଼ିଛି ।