ମାଟି ଧସି ଯୁବକ ମୃତ

ମୁନିଗୁଡ଼ା,ଏନ୍ଏନ୍ଏସ୍ : ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ସଦରମହକୁମାରେ ଥିବା ସୁଣ୍ଡିସାହି ଗୁଡ଼ିଆ ବନ୍ଧରେ ଜଣେ ଯୁବକ ଶୌଚ କରୁଥିବା ସମୟରେ ହଠାତ୍ ତା’ଉପରେ ମାଟି ଅତଡ଼ା ଧସି ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ଯୁବକଙ୍କର ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ହେଲେ ସୁଣ୍ଡି ସାହିର ଦେବରାଜ ବେହେରାଙ୍କ ପୁଅ ମୁକେଶ ବେହେରା (୨୦)।

ସୂଚନା ଅନୁଯାୟୀ, ମୁକେଶ ଶୌଚ ପାଇଁ ହାଇସ୍କୁଲ ପଛପଟେ ଥିବା ଗୁଡ଼ିଆ ବନ୍ଧକୁ ଯାଇଥିଲେ। ପୋଖରୀ ମଧ୍ୟରେ ପଶି ଶୌଚ ହେଉଥିବା ବେଳେ ହଠାତ୍ ପୋଖରୀର ୧୦ ଫୁଟ୍ ଉଚ୍ଚର ବନ୍ଧଟି ତାଙ୍କ ଉପରେ ଖସି ପଡ଼ିଥିଲା। ଏଥିରେ ମୁକେଶ ଅଣନିଶ୍ୱାସୀ ହୋଇ ମାଟିରେ ପୋତି ଯାଇଥିଲା। ଏହି ସମୟରେ ପୋଖରୀରେ ଶୌଚ ଓ ସ୍ନାନ କରୁଥିବା ଅନ୍ୟ ବ୍ୟକ୍ତିମାନେ ମୁକେଶଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରି ତାଙ୍କୁ ମାଟି ତଳୁ ଆଣିଥିଲେ। ହେଲେ ସେତେବେଳେ ମୁକେଶଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା। ଖବରପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ôଚ ଶବ ବ୍ୟବଚ୍ଛେଦ ପାଇଁ ମୁନିଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଛି। ମୁନିଗୁଡ଼ା ଥାନା ସେକେଣ୍ଡ ଅଫିସର ନୀଳାଦ୍ରି କଅଁର, ହାବିଲଦାର ଶ୍ରୀନିବାସ ଦଳାଇ ଘଟଣାସ୍ଥଳ ପରିଦର୍ଶନ କରିବାସହ ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯିବ ବୋଲି କହିଛନ୍ତି।