ବକେୟା ଟଙ୍କା ରଖି ହଟହଟା ହେଲେ ଯୁବକ

କୋରୁକୋଣ୍ଡା,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ପୋଟରେଲ ପଞ୍ଚାୟତର କଡ଼େଇଗୁଡ଼ା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମିଳିଥିବା ରିପୋର୍ଟ ମୁତାବକ, ମାଲକାନଗିରି ବ୍ଲକ ଗୌଡ଼ଗୁଡ଼ା ପଞ୍ଚାୟତର ମାସାଗୁଡ଼ା ଗ୍ରାମର ନରସିଂହ ପଡ଼ିଆମୀ କଡ଼େଇଗୁଡ଼ା ଗ୍ରାମ ସମେତ ପାଡ଼ାଲପୁଟ ଏବଂ ଚିତାପାରୀ ଗ୍ରାମର କିଛି ଚାଷୀଙ୍କର ୪୦୦ କ୍ୱିଣ୍ଟାଲ ଧାନ ବିକିବାକୁ ନେଇ ସେମାନଙ୍କୁ  ପରେ ଟଙ୍କା ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସେ ଗତ ଜାନୁଆରୀ୨୧ ତାରିଖରେ ସମସ୍ତଙ୍କଠାରୁ ଧାନ ନେଇଥିଲେ। କିନ୍ତୁ ଦୀର୍ଘ ୯ ମାସ ଧରି ସେ ଟଙ୍କା ନ ଫେରାଇ ଏଣେତେଣେ ଲୁଚି ବୁଲୁଥିଲେ। ଇତି ମଧ୍ୟରେ ଏହି ୩ ଗ୍ରାମର ଚାଷୀମାନେ ମିଶି ମାସାଗୁଡ଼ା ଗାଁରେ ୨ଥର କରି ବୈଠକ ବସାଇଥିଲେ। ଏତେ ସବୁ ପରେ ମଧ୍ୟ ନରସିଂହ ନିଜ ଗ୍ରାମକୁ ନ ଆସି ଅନ୍ୟତ୍ର ଲୁଚି ରହୁଥିଲେ। ତେବେ ବର୍ତ୍ତମାନ ଦଶହରା ଲାଗି ରହିଥିବାରୁ ସେ ନିଜ ଘରକୁ ବୁଲିବା ନିମନ୍ତେ ଆସିଥିବାବେଳେ ଗାଁ ଲୋକେ କଡ଼େଇଗୁଡ଼ା ଗ୍ରାମବାସୀଙ୍କୁ ଖବର ଦେଇଥିଲେ। ଖବର ପାଇ ଗ୍ରାମବାସୀ ମାସାଗୁଡ଼ା ଗ୍ରାମରେ ପହଞ୍ଚି ନରସିଂହକୁ ନେଇ ନିଜ ଗ୍ରାମ କଡ଼େଇଗୁଡ଼ାରେ ପହଞ୍ଚିଥିଲେ। ଆଉ ନରସିଂହଙ୍କୁ ଟଙ୍କା ଫେରାଇବାକୁ କହିଥିଲେ। ଯୁବକ ଜଣକ ପାଖାପାଖି ୮ ଲକ୍ଷରୁ ଉର୍ଦ୍ଧ୍ୱ  ଟଙ୍କା ବକେୟା ରଖିଥିବା ଗ୍ରାମବାସୀ କହିଛନ୍ତି। ଏନେଇ ଥାନାରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ମାମଲା ରୁଜୁ ହୋଇନଥିବା ବେଳେ ଯୁବକ ଜଣକ ନିଜ ପରିବାର ସହ ଯୋଗାଯୋଗ କରି ସମସ୍ତ ଟଙ୍କା ଫେରସ୍ତ କରିବେ ବୋଲି ସୂଚନା ମିଳିଛି।