ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଥାନା ଅନ୍ତର୍ଗତ କାଲକାଠ ଗ୍ରାମରୁ ଗତ ମେ’ ପହିଲାରେ ଜଣେ ଠିକାଦାରଙ୍କ ଚୋରୀ ହୋଇଥିବା ବାଇକକୁ ଦେବଗଡ଼ ଥାନା ପୁଲିସ ଉଦ୍ଧାର କରିବା ସହ ଅଭିଯୁକ୍ତକୁ ଗିରଫ କରିଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, ରାସ୍ତା ନିର୍ମାଣକାରୀ ସଂସ୍ଥା ଓରିଏଣ୍ଟାଲ କମ୍ପାନୀରେ ଠିକାଦାର ଭାବେ କାର୍ଯ୍ୟରତ ବାଲେଶ୍ୱର ଜିଲ୍ଲାର ଏମଡ଼ି ମୁକ୍ତାର ଖାନ୍ ଅନ୍ୟ ଦିନମାନଙ୍କ ଭଳି ଗତି ଏପ୍ରିଲ ୩୦ ତାରିଖ ସଂନ୍ଧ୍ୟାରେ କାମ ସାରି ଗ୍ୟାରେଜରେ ବାଇକ ରଖି ଘରକୁ ଚାଲି ଯାଇଥିଲେ। ତା’ ପର ଦିନ ସକାଳୁ କାମକୁ ବାହାରିବା ବେଳେ ଶ୍ରୀ ଖାନଙ୍କ ୟୁନିକର୍ଣ ବାଇକଟି ଚୋରୀ ହୋଇଯାଇଥିଲା। ଏନେଇ ଶ୍ରୀ ଖାନ୍ ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଦେବଗଡ଼ ଥାନା ପୁଲିସ ଏକ ଚୋରୀ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ତେବେ ଗତକାଲି ଉକ୍ତ ବାଇକଟି ଗ୍ରାମରେ ବୁଲୁଥିବା ସୂଚନା ପାଇ ପୁଲିସ ଗ୍ରାମରେ ପହଞ୍ଚି ନେତ୍ରା କିସାନ ନାମକ ଯୁବକ ନିକଟରୁ ଚୋରୀ ବାଇକକୁ ଉଦ୍ଧାର କରିବା ସହ ପଚରାଉଚୁରା କରିଥିଲା। ପଚରାଉଚୁରା ସମୟରେ ନେତ୍ରା ଉକ୍ତ ବାଇକକୁ ଚୋରୀ କରି ଲାଇମୁରା ଅଞ୍ଚଳରେ ଥିବା ତା’ ଭିଣୋଇ ନିକଟରେ ଲୁଚାଇ ରଖିଥିବା ପ୍ରକାଶ କରିଥିଲା। ତେବେ ଗତକାଲି ଚୋରୀ ବାଇକକୁ ଧରି ନେତ୍ରାର ଭିଣୋଇ ଉକ୍ତ ଗ୍ରାମକୁ ଆସିଥିବାବେଳେ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ଦେବଗଡ଼ ଥାନା ପୁଲିସ ବାଇକକୁ ଉଦ୍ଧାର କରିବା ସହ ଅଭିଯୁକ୍ତକୁ ଗିରଫ କରିଥିଲା। ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି ଦେବଗଡ଼ ଥାନାଧିକାରୀ ସୁରେନ୍ଦ୍ର କୁମର ନାୟକ ସୂଚନା ଦେଇଛନ୍ତି।