ବନ ବିଭାଗ ଦ୍ୱାରା ୫୦ ହଜାରରୁ ଉର୍ଦ୍ଧ୍ୱ ଟଙ୍କାର କାଠ ଜବତ

କୋରୁକୋଣ୍ଡା,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା ନୀଳାକାମ୍ବେରୁ ପଂଚାୟତର ସାରିଆପଲ୍ଲୀଠାରେ ବେଆଇନ କାଠ ଜବତ ହୋଇଛି । ବିଶେଷ ସୂତ୍ରରୁ ଖବର ପାଇ ବନାଞ୍ଚଳ ଅଧିକାରୀ ରାମଚନ୍ଦ୍ର ମାଡ଼କାମୀଙ୍କ ନିର୍ଦ୍ଦେଶକ୍ରମେ ସୋମବାର ରାତି ୧୧ଟା ସମୟରେ ବନ ବିଭାଗର ବନପାଳ ଶିବାନନ୍ଦ ଲେଙ୍କା, ବାଣିଶ୍ରୀ ମନଶ୍ୱିନୀ ଦେବୀଙ୍କ ନେତୃତ୍ୱରେ ବନରକ୍ଷୀ ରାଶି ମାଢ଼ି, ପ୍ରଶାନ୍ତ ରାଉତ ଓ କିଛି ପାରା ଷ୍ଟାଫଙ୍କୁ ନେଇ ସାରିଆପାଲ୍ଲୀ ଛକ ନିକଟରେ ଜଗି ରହିଥିଲେ। ଘାଟି ଉପର ମନ୍ତ୍ରୀପୁଟ ଗ୍ରାମରୁ ଏକ ଟ୍ରାକ୍ଟର ଯୋଗେ କାଠ ବଲହାଗୁଡ଼ିକୁ ନେଇ ନୀଳାକାମ୍ବେରୁ ଗ୍ରାମ ଆଡ଼କୁ ଆସୁଥିଲା। ସେହି ସମୟରେ ବନ ବିଭାଗର ଟିମ ପହଂଚି କାଠ ବୋଝେଇ ଟ୍ରାକ୍ଟରଟିକୁ ଜବତ କରିଥିଲେ। ବନ ବିଭାଗର ଟିମ୍ ଜଗି ରହିଥିବା ଖବର ପାଇ ଡ୍ରାଇଭର ଫେରାର ହୋଇଯାଇଥିଲା। ତେବେ ଗାଡ଼ିଟିକୁ ବନ ବିଭାଗ ଜବତ କରି ବାଲିମେଳା ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଅଣାଯାଇଥିଲା। ଟ୍ରାକ୍ଟରଟି ନୀଳାକାମ୍ବେରୁ ଗ୍ରାମର ବୋଲି ଗ୍ରାମବାସୀ ସୂଚନା ଦେଇଥିବାବେଳେ ଗାଡ଼ିଟିର ରେଜିଷ୍ଟ୍ରେସନ ନଂ ଠିକ ନଥିବା ସହ ଗାଡ଼ି ମାଲିକ କିଏ ଜଣାପଡୁନଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ ଜବତ କାଠର ମୂଲ୍ୟ ୫୦ ହଜାରରୁ ଉର୍ଦ୍ଧ୍ୱ ହେବ ବୋଲି ବନାଞ୍ଚଳ ଅଧିକାରୀ ରାମଚନ୍ଦ୍ର ମାଡ଼କାମୀ ସୂଚନା ଦେଇଛନ୍ତି।