ମାଓବାଦୀ ନାଁରେ ଧମକ ଦେଇ ଯୁବକ ଗିରଫ

ବାଲିଗୁଡ଼ା,ଏନ୍ଏନ୍ଏସ୍ : ମାଓବାଦୀ ନାମରେ ଧମକ ଦେବା ଅଭିଯୋଗରେ ଆଜି ଜଣେ ଯୁବକକୁ ପୁଲିସ ଗିରଫ କରିଛି। ଯୁବକ ଜଣକ ହେଉଛନ୍ତି ଜୋଡାବାଲି ପଞ୍ଚାୟତର ହାରଣ ବିସି ମାଝୀ। ସେ ଗତକିଛି ଦିନ ହେବ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଧରାକୋଟ ପଞ୍ଚାୟତର ଜିଆରଏସକୁ ମୋବାଇଲରେ ମାଓବାଦୀ କହି ଟଙ୍କା ମାଗିବା ସହ ଜୀବନରେ ମାରିଦେବାକୁ ଧମକ ଦେଉଥିଲା। ଏହାସହ ଜିଆରଏସ ଘର ଆଗରେ ଏକ ଲାଲ ରଙ୍ଗ କନାରେ ମୁଁ କହିବା ଅନୁଯାୟୀ ସମସ୍ତ ଦାବି ପୂରଣ କର, ନଚେତ ଜୀବନରୁ ମାରି ଦେବି ବୋଲି ପୋଷ୍ଟର ଲଗାଇଥିଲା।

ଏନେଇ ଜିଆରଏସ ଉତ୍ତମ ଉଠାଣ ସିଂ କୋଟଗଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି କୋଟଗଡ ପୁଲିସ ଅନୁସନ୍ଧାନ ଆରମ୍ଭ କରିଥିଲା। ଗୁରୁବାର ତାକୁ ଧରିବାରେ ସଫଳ ହୋଇଥିଲା। କୋଟଗଡ ଥାନାରେ ଏକ ମାମଲା ରୁଜୁ କରାଯାଇ ଉକ୍ତ ଯୁବକକୁ କୋର୍ଟଚାଲାଣ କରାଯାଇଥିବା ବାଲିଗୁଡା ଏସଡିପିଓ ମାନସ ରଞ୍ଜନ ବାରିକ ସୂଚନା ଦେଇଛନ୍ତି।