ଦେବଗଡ଼,ଏନ୍ଏନ୍ଏସ୍: କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ଝରାବେର୍ଣ୍ଣି ଗ୍ରାମରେ ଜଣେ ବିବାହିତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । ଅନ୍ୟପଟେ ବିନା ବ୍ୟବଛେଦରେ ମୃତଦେହ ଡାକ୍ତରଖାନାରୁ ଘରକୁ ଆଣିବା ପରେ ପରିବାର ଓ ସମ୍ପର୍କୀୟ ଏନେଇ କୁଣ୍ଢେଇଗୋଳା ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି । ଅଭିଯୋଗ ଆଧାରରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି । ମିଳିଥିବା ରିପୋର୍ଟ ମୁତାବକ, କୁଣ୍ଢେଇଗୋଳା ଥାନା ଝରାବେର୍ଣ୍ଣି ଗ୍ରାମର ନିରଞ୍ଜନ ନାୟକ ନିଜର ଏକମାତ୍ର ପୁଅ ଓ ସ୍ତ୍ରୀ ନମିତା ନାୟକଙ୍କ ସହ ରହୁଥିଲେ । ଆଜି ସକାଳେ ନିରଞ୍ଜନ ଅସୁସ୍ଥ ଅନୁଭବ କରିବାରୁ ସ୍ତ୍ରୀ ନମିତା ନିଜ ୨ ପୁତୁରାଙ୍କ ସହ ଚିକିତ୍ସା ପାଇଁ ଛେଣ୍ଡିପଦା ଡାକ୍ତରଖାନାକୁ ପଠାଇଥିଲେ। ସେଠାରେ ଡାକ୍ତର ନିରଞ୍ଜନଙ୍କୁ ମୃତ ଘୋଷଣା କରିବା ସହ ଛେଣ୍ଡିପଦା ଥାନା ପୁଲିସକୁ ସୂଚନା ଦେଇଥିଲେ । ତେବେ ପୁଲିସ ପହଞ୍ଚିବା ପୂର୍ବରୁ ନିରଞ୍ଜନଙ୍କ ମୃତଦେହ ଧରି ତରବରିଆ ଭାବେ ନେଇଥିବା ୨ ସମ୍ପର୍କୀୟ ନିଜ ଗ୍ରାମକୁ ଚାଲି ଆସିଥିଲେ । ଗାଁରେ ମୃତଦେହ ପହଞ୍ଚିବା ପରେ ନିରଞ୍ଜନଙ୍କ ମୃତ୍ୟୁକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ନାନା ପ୍ରଶ୍ନ ସୃଷ୍ଟି ହୋଇଥିଲା । ଏନେଇ ନିରଞ୍ଜନଙ୍କ ପରିବାର ଲୋକେ କୁଣ୍ଢେଇଗୋଳା ଥାନାରେ ଅଭିଯୋଗ କରିବାରୁ ପୁଲିସ ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଥିଲା । ତେବେ ପୋଷ୍ଟମୋର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର ସଠିକ କାରଣ ଜଣାପଡ଼ିବା ସହ ଏହା ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ ସୂଚନା ଦେଇଛି ।