ଝରୀଗାଁ,ଏନ୍ଏନ୍ଏସ୍: ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ପାଲିଆ ପଞ୍ଚାୟତ ଅନ୍ତର୍ଗତ ବୋଡ଼ନୀ ଗ୍ରାମର ୧୧ ନମ୍ବର ୱାର୍ଡରେ ଏକ ଅଘଟଣ ଘଟିଯାଇଛି । ଗ୍ରାମର ଚାଏବାନ ଯାନୀଙ୍କ ଦ୍ୱିତୀୟ ପୁଅ ଟଙ୍କଧର ଯାନୀ(୧୯) ଗତକାଲି ରାତିରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ମିଳିଥିବା ରିପୋର୍ଟ ମୁତାବକ, ଟଙ୍କଧର ଯାନୀ ରାତିରେ ଖିଆପିଆ ସାରି ସବୁଦିନ ପରି ଗାଁ ଭିତରକୁ ବୁଲିବାକୁ ଯାଇଥିଲା । ପାଖ ଗାଁରେ କାଲି ଚୈତ୍ର ପର୍ବ ଥିବାରୁ ରାତିରେ ସେଠାକୁ ନାଟକ ଦେଖିବାକୁ ଯାଇଥିବ ବୋଲି ଘର ଲୋକ ଆଉ ତାକୁ ଖୋଜାଖୋଜି କଲେନାହିଁ । ଆଜି ଭୋର ସମୟରେ ଟଙ୍କଧର ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ପରିବାର ଲୋକ ଦେଖିବାକୁ ପାଇଥିଲେ । ପରେ ଟଙ୍କଧରଙ୍କ ପିତା ଝରୀଗାଁ ଥାନାକୁ ଯାଇ ଏକ ଲିଖିତ ଅଭିଯୋଗ କରିଥିଲେ । ଖବର ପାଇ ଥାନାର ଏସଆଇ ଶ୍ରୀ ପିକେ ଖଣ୍ଡୁଆଳ ଘଟଣାସ୍ଥଳରେ ପହଞ୍ଚି ଶବଟିବୁ ଜବତ କରିବା ସହ ବ୍ୟବଚ୍ଛେଦ ନିମନ୍ତେ ଝରୀଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ । ଏହାସହ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ଦେଇଛନ୍ତି ।