ଉତ୍ତରପ୍ରଦେଶ: ମାର୍ଚ୍ଚ ୨୫ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଯୋଗୀ, ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି

ଲଖନଉ,ଏଜେନ୍ସି: ଉତ୍ତର ପ୍ରଦେଶ ସରକାର ଗଠନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ସରକାର ଗଠନକୁ ନେଇ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଘରେ ବୁଧବାର ବିଳମ୍ବିତ ରାତିରେ ବୈଠକ ହୋଇଛି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଏହି ବୈଠକ ପାଖାପାଖି ଅଢ଼େଇ ଘଣ୍ଟା ଯାଏଁ ଚାଲିଥିଲା। ବୈଠକରେ ଯୋଗୀ କ୍ୟାବିନେଟ ପାଇଁ ଚର୍ଚ୍ଚା ହୋଇଥିବା ଅନୁମାନ କରାଯାଉଛି। କିନ୍ତୁ ଗଣମାଧ୍ୟମର ସାମ୍ନାକୁ ଆସିନାହିଁ ଯେ, ବୈଠକରେ କ’ଣ ନିଷ୍ପତ୍ତି ହୋଇଛି। ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବ୍ୟତୀତ ଜେପି ନଡ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଏଲ ସନ୍ତୋଷ, ଯୋଗୀ ଆଦିତ୍ୟନାଥ ଉପସ୍ଥିତ ଥିଲେ।

ଆଜି ଅପରାହ୍ନ ପ୍ରାୟ ୪ଟାରେ ଲଖନଉର ଲୋକଭବନରେ ବିଜେପି ବିଧାନମଣ୍ଡଳ ଦଳର ବୈଠକ ହେବ। ବୈଠକରେ ଯୋଗୀ ଆଦିତ୍ୟନାଥ ବିଧାନମଣ୍ଡଳ ଦଳର ନେତା ଚୟନିତ ହେବେ। ଏହି ବୈଠକରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ ଉପସ୍ଥିତ ରହିବେ। ଏହା ବ୍ୟତୀତ ଉତ୍ତର ପ୍ରଦେଶର ସହ ପର୍ଯ୍ୟବେକ୍ଷକ, ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସ ମଧ୍ୟ ଗୁରୁବାର ମଧ୍ୟାହ୍ନ ୧୨ଟାରେ ଲଖନଉ ପହଞ୍ଚିବେ।

ସୂଚନାଯୋଗ୍ୟ, ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ବହୁମତ ହାସଲ କରିବା ପରେ ବିଜେପି କ୍ରମାଗତ ୨ୟ ସରକାର ଗଢ଼ିବାକୁ ଯାଉଛି। ଯୋଗୀ ଆଦିତ୍ୟନାଥ ୨ୟ ଥର ପାଇଁ ମାର୍ଚ୍ଚ ୨୫ ତାରିଖରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଶପଥ ଗ୍ରହଣ କରିବେ। ଏଥିପାଇଁ ଲଖନଉର ଇକାନାସ୍ଥିତ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।