ମିଥୁନଙ୍କୁ ମିଳିଲା ୱାଇ ପ୍ଲସ୍ ସୁରକ୍ଷା କବଚ

କୋଲକାତା,ଏଜେନ୍ସି: ଦିନକୁ ଦିନ ପଶ୍ଚିମବଙ୍ଗରେ ନିର୍ବାଚନୀ ତାତି ବଢ଼ିବାରେ ଲାଗିଛି। ଏହି ମଧ୍ୟରେ ୩ ଦିନ ତଳେ କୋଲକାତାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରାଲିରେ ବଲିଉଡ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ସାମିଲ ହୋଇ ବିଜେପିରେ ଯୋଗଦାନ କରିଥିଲେ। ଏହା ପରେ ମିଥୁନଙ୍କ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଏନେଇ ଗୃହମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି। ତାଙ୍କୁ ୱାଇ ପ୍ଲସ୍ ସୁରକ୍ଷା ପ୍ରଦାନ କରାଯାଇଛି।

ସୂଚନା ଅନୁସାରେ ଗୃହମନ୍ତ୍ରୀ ସୁରକ୍ଷା ସମୀକ୍ଷା କରିବା ପରେ ମିଥୁନଙ୍କ ସୁରକ୍ଷାକୁ ଆହୁରି ବଢ଼ାଇବାକୁ ନିଷ୍ପତ୍ତି ହୋଇଛି। ଯାହାଦ୍ୱାରା ତାଙ୍କୁ ୱାଇ ପ୍ଲସ୍ ସୁରକ୍ଷା ଦିଆଯାଇଛି। ଏଥିରେ ୧୧ ଜଣ କମାଣ୍ଡର ତାଙ୍କ ସୁରକ୍ଷାରେ ନିୟୋଜିତ ରହିବେ। ଏଥିସହିତ ୫୮ ଜଣ ଜବାନ ଭିଆଇପିଙ୍କ ସୁରକ୍ଷା ପାଇଁ ତାଙ୍କ ଘର ଆଖପାଖରେ ରହିବେ। ସେହିପରି ୬ ଜଣ ବ୍ୟକ୍ତିଗତ ସିକ୍ୟୁରିଟି ଅଫିସର ୩ ସିଫ୍ଟରେ ଡ୍ୟୁଟି କରିବେ। ମିଥୁନଙ୍କ ବ୍ୟତୀତ ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ସୁରକ୍ଷା ମଧ୍ୟ କଡ଼ାକଡ଼ି କରାଯାଇଛି। ଅନ୍ୟଏକ ରିପୋର୍ଟ ଅନୁସାରେ ପଶ୍ଚିମବଙ୍ଗରେ ବର୍ତ୍ତମାନ ସୁଦ୍ଧା କେନ୍ଦ୍ର ଗୃହମନ୍ତ୍ରାଳୟ ୬୦ରୁ ଊର୍ଦ୍ଧ୍ୱ ନେତାଙ୍କ ସୁରକ୍ଷା କଡ଼ାକଡ଼ି କରିସାରିଛି।