ମହିଳା ପ୍ରିମିୟର ଲିଗ: ମୁମ୍ବାଇର ବିଜୟରୁ ଅଭିଯାନ ଆରମ୍ଭ, ୧୪୩ ରନରେ ହାରିଲା ଗୁଜୁରାଟ

ମୁମ୍ବାଇ,ଏଜେନ୍ସି: ମହିଳା ଆଇପିଏଲ ପ୍ରଥମ ସଂସ୍କରଣ ମୁମ୍ବାଇରେ ଆରମ୍ଭ ହୋଇଯାଇଛି । ଉଦଘାଟନୀ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଗୁଜୁରାଟ ପରସ୍ପରକୁ ଭେଟିଥିଲେ । ଏଥିରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ମୁମ୍ବାଇ । ଅଧିନାୟିକା ହର୍ମନପ୍ରୀତ କୌରଙ୍କ ନେତୃତ୍ବରେ ମୁମ୍ବାଇ ଇଣ୍ଡିଆନ୍ସ ଗୁଜୁରାଟ ଜାଏଣ୍ଟ୍ସ ବିପକ୍ଷରେ ୧୪୩ ରନର ଏକ ବିଶାଳ ବିଜୟ ହାସଲ କରିଛି । ୬୫ ରନର ଦମଦାର ପାଳି ଖେଳି ହର୍ମନପ୍ରୀତ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି । ମୁମ୍ବାଇର ଡିୱାଅ ପାଟିଲ ଷ୍ଟାଡିୟମରେ ଗୁଜୁରାଟ ଜାଏଣ୍ଟ୍ସ ଅଧିନାୟିକା ବେଥ ମୁନୀ ଟସ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ ।

ମୁମ୍ବାଇକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲା ଗୁଜୁରାଟ । ଓପନର ୟାସ୍ତିକା ଭାଟିଆ ୧ ରନ କରି ଆଉଟ ହୋଇଥିଲେ । ଅନ୍ୟ ଓପନର ହେଲି ମାଥ୍ୟୁସଙ୍କ ସହ ନୀତାଲି ସ୍କିଭର୍ସ ଆକ୍ରମଣାତ୍ମକ ବ୍ୟାଟିଂ କରି ସ୍ଥିତି ସମ୍ଭାଳିଥିଲେ । ଦଳୀୟ ସ୍କୋର ୬୯ ବେଳେ ବ୍ୟକ୍ତିଗତ ୨୩ରନ କରି ସ୍କିଭର୍ସ ଆଉଟ ହୋଇଥିଲେ । ପରେ ପରେ ମାଥ୍ୟୁସ ୪୭ ରନ କରି ପାଭିଲିୟନ ଫେରିଥିଲେ ।

ଏହାପରେ ହର୍ମନପ୍ରୀତ କୌର ଆସିବା ପରେ ଦ୍ରୁତ ଗତିରେ ବଢି ଚାଲିଥିଲା ରନ ଗାଡି । ମ୍ୟାଚରେ ଅଧିନାୟିକା ହର୍ମନପ୍ରୀତ କୌର ୩୦ ବଲରେ ୬୫ ରନ କରିଥିଲେ । ସେଥିରେ ୧୪ଟି ଚୌକା ରହିଛି । ଚତୁର୍ଥ ୱିକେଟ ପାର୍ଟନରସିପରୁ ଆମେଲିଆ କେରଙ୍କ ସହ ୪୨ ରନ ବଳରେ ୬୫ ରନ କରିଥିଲେ ହର୍ମନପ୍ରୀତ । ଚତୁର୍ଥ ୱିକେଟରେ ଉଭୟ ୮୯ ରନ ଯୋଗ କରିଥିଲେ । ହର୍ମନପ୍ରୀତ 22 ବଲରୁ ଅର୍ଦ୍ଧଶତକ ହାସଲ କରିଥିଲେ । ଦଳୀୟ ସ୍କୋର ୧୬୬ରେ ହର୍ମନପ୍ରୀତ ଆଉଟ ହୋଇଥିଲେ । ଆମେଲିଆ ଅପରାଜିତ ରହି ଦଳୀୟ ସ୍କୋରକୁ ୨୦୭ରେ ପହଞ୍ଚାଇଥିଲେ । ନିର୍ଦ୍ଧାରିତ ୨୦ ଓଭରରେ ମୁମ୍ବାଇ ଇଣ୍ଡିଆନ୍ସ ୫ ୱିକେଟ ହରାଇ ୨୦୭ ରନ କରିଥିଲା । ଗୁଜୁରାଟ ପକ୍ଷରୁ ସ୍ନେହ ରଣା ୨ଟି ୱିକେଟ ହାସଲ କରିଥିଲେ ।