ଅଯୋଧ୍ୟାରେ ରାମ ମନ୍ଦିରର ଶିଳାନ୍ୟାସ  ଆଜି

ନୂଆଦିଲ୍ଲୀ, ଏଜେନ୍ସି: ଅଯୋଧ୍ୟାରେ ରାମମନ୍ଦିରର  ଭୂମିପୂଜନ ଓ  ଶିଳାନ୍ୟାସ  କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାମମନ୍ଦିରର ଶିଳାନ୍ୟାସ କରିବେ। ଏଥିପାଇଁ ଏବେ ସେଠାରେ ଦୁଇ ଦିନ ହେଲା  ପୂଜାକାର୍ଯ୍ୟ ଜାରି ରହିଛି। ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ପକ୍ଷରୁ ୧୭୫ ଜଣ ଅତିଥିଙ୍କୁ ନିମନ୍ତ୍ରିତ କରାଯାଇଛି। ସେମାନଙ୍କ ମଧ୍ୟରେ ୧୩୫ ଜଣ ସାଧୁସନ୍ଥ ରହିଛନ୍ତି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଆଗେଇ ଚାଲିଛି।
ପ୍ରଧାନମନ୍ତ୍ରୀଙ୍କ ଗସ୍ତକ୍ରମ ଅନୁଯାୟୀ ସେ ବୁଧବାର ପୂର୍ବାହ୍ନ ୯:୩୫ରେ ନୂଆଦିଲ୍ଲୀରୁ ଯାତ୍ରା ଆରମ୍ଭ କରିବେ।  ଅଯୋଧ୍ୟା ସ୍ଥିତ ସାକେତ କଲୋନୀ ଠାରେ ଥିବା ହେଲିପ୍ୟାଡରେ ୧୧:୩୦ରେ ମୋଦୀ ଅବତରଣ କରି ୧୧:୪୦ରେ ହନୁମାନ ଗଡ୍ଡିରେ ଦର୍ଶନ କରିବେ।  ୧୨:୩୦ରେ ଭୂମିପୂଜନ ଆରମ୍ଭ ହେବ ଏବଂ ୧୨:୪୦ରେ ପ୍ରଧାନମନ୍ତ୍ରୀ ରାମ ମନ୍ଦିରର ଶିଳାନ୍ୟାସ କରିବେ।