ବିଶ୍ୱ ଭିନ୍ନକ୍ଷମ ଦିବସ: ସହାୟତାର ହାତ ବଢାଇଲେ ମୁଖ୍ୟସ୍ରୋତରେ ସାମିଲ ହେବେ ଦିବ୍ୟାଙ୍ଗ

ହାଇଦ୍ରାବାଦ,ଏଜେନ୍ସି: ସାଧାରଣତଃ ଭିନ୍ନକ୍ଷମ ବ୍ୟକ୍ତିଙ୍କ ପ୍ରତି ଅଧିକାଂଶ ଲୋକେ ଦୟା କିମ୍ବା ହୀନ ଦୃଷ୍ଟି ରଖିଥାନ୍ତି । ଲୋକମାନେ ଭାବନ୍ତି ଯେ, ଯଦି ଜଣେ ବ୍ୟକ୍ତି ଅକ୍ଷମ, ଏହାର ଅର୍ଥ ସେ ନିଶ୍ଚିତ ଭାବରେ ଅନ୍ୟମାନଙ୍କ ଉପରେ ନିର୍ଭରଶୀଳ । ବାସ୍ତବରେ କିନ୍ତୁ ଏପରି କିଛି ହୋଇନଥାଏ । ଟିକିଏ ପ୍ରୟାସ ଦ୍ୱାରା ଜଣେ ଭିନ୍ନକ୍ଷମ ମଧ୍ୟ ସାଧାରଣ ଜୀବନଯାପନ କରିପାରନ୍ତି । ଏଥିପାଇଁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା, ସମଗ୍ର ବିଶ୍ୱରେ ଅକ୍ଷମ କିମ୍ବା ଭିନ୍ନକ୍ଷମମାନଙ୍କ ଅକ୍ଷମତା ସମ୍ବନ୍ଧୀୟ ସମସ୍ୟା ପ୍ରତି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବା ଏବଂ ସେମାନଙ୍କର ଉପଯୁକ୍ତ ଅର୍ଥନୈତିକ ଏବଂ ସାମାଜିକ ବିକାଶ ପାଇଁ ଉଦ୍ୟମ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଡିସେମ୍ବର ୩ ତାରିଖରେ ବିଶ୍ୱ ଭିନ୍ନକ୍ଷମ ଦିବସ ପାଳନ କରାଯାଏ ।

ବିଶ୍ୱ ଭିନ୍ନକ୍ଷମ ଦିବସ ହେଉଛି ଭିନ୍ନକ୍ଷମଙ୍କୁ ମୁଖ୍ୟ ସ୍ରୋତକୁ ଆଣିବା ପାଇଁ ସୁଯୋଗ ସୃଷ୍ଟି କରିବାର ଏକ ସୁଯୋଗ । ଚଳିତ ବର୍ଷ ବିଶ୍ୱ ଭିନ୍ନକ୍ଷମ ଦିବସର ବିଷୟବସ୍ତୁ ହେଉଛି “ଆମେ ଚାହୁଁଥିବା ଭବିଷ୍ୟତ ପାଇଁ ୧୭ଟି ଲକ୍ଷ୍ୟ ହାସଲ କରିବା” । ସୂଚନାଯୋଗ୍ୟ ଯେ, ୨୦୧୬ ମସିହାରେ ମଧ୍ୟ ଭିନ୍ନକ୍ଷମମାନଙ୍କ ପାଇଁ ୧୭ଟି ସ୍ଥାୟୀ ବିକାଶ ଲକ୍ଷ୍ୟ ଗ୍ରହଣ କରିବା ଏବଂ ଏହି ଲକ୍ଷ୍ୟଗୁଡିକର ଭୂମିକା ଦ୍ୱାରା ବିଶ୍ୱକୁ ଅଧିକ ଅନ୍ତର୍ଭୂକ୍ତ ଏବଂ ସମାନ କରିବା ଲକ୍ଷ୍ୟରେ ବିଶ୍ୱ ଭିନ୍ନକ୍ଷମ ଦିବସ ପାଳନ କରାଯାଇଥିଲା। ।