କେଶରୀୟା ହିନ୍ଦୁ ବାହନୀର ପ୍ରଚେଷ୍ଟାରେ ମୁକୁଳିଲେ ହାଇଦ୍ରାବାଦରେ ବନ୍ଧା ପଡିଥିବା ଶ୍ରମିକ

ବଲାଙ୍ଗିର,ଏନ୍ଏନ୍ଏସ୍: ଜିଲ୍ଲାର ଶ୍ରମିକମାନେ ଦାଦନରେ ଯାଇ ବନ୍ଧା ପଡିବା ଭଳି ଏକ ଘଟଣା ପୁଣି ସାମ୍ନାକୁ ଆସିଛି। ଖବରପାଇ ସାମାଜିକ ସଂଗଠନ କେଶରୀୟା ହିନ୍ଦୁ ବାହିନୀ ସେମାନଙ୍କୁ ଉଦ୍ଧାର କରିବା ସହ ଘରକୁ ଫେରାଇ ଆଣିବାରେ ସଫଳ ହୋଇଛି। ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଲକ୍ ଅନ୍ତର୍ଗତ ଖଲିପତର ଗ୍ରାମର ପ୍ରାୟ ୮ଟି ପରିବାର ଆଠ ମାସ ପୂର୍ବେ ହାଇଦ୍ରାବାଦକୁ ଇଟା ଗଢିବାକୁ ଯାଇଥିଲେ। ଗତ ଏପ୍ରିଲ ମାସରେ ତାଙ୍କର କାମ ସରିଯାଇଥିଲା। କିନ୍ତୁ କାମ ସରି ଯାଇଥିବା ସତ୍ତ୍ୱେ ସେମାନେ ଠିକାଦାର ପାଖରେ ବନ୍ଧା ପଡିଥିଲେ। ଅନ୍ୟ କୌଣସି ରାସ୍ତା ନପାଇ, ନିଜ ଦୁଃଖ ଦୁର୍ଦ୍ଦଶାର ଏକ ଭିଡିଓ କରି ଠିକାଦାର କବଳରୁ ରକ୍ଷା କରିବା ସହ ଘରକୁ ଫେରାଇ ଆଣିବାକୁ ଓଡିଶା ସରକାରଙ୍କୁ ନିବେଦନ କରିଥିଲେ। ଏହି ଭିଡିଓ କେଶରୀୟା ହିନ୍ଦୁ ବାହିନୀର ହାତରେ ଲାଗିଥିଲା।

ପରେ କେଶରୀୟା ହିନ୍ଦୁ ବାହିନୀର ପ୍ରଦେଶ ଅଧ୍ୟକ୍ଷ ସନ୍ତୋଷ ଭୋଳ ଜିଲ୍ଲା ପ୍ରଶାସନର ସାହାଯ୍ୟ ଲୋଡିଥିଲେ। ଜିଲ୍ଲା ପ୍ରଶାସନ ଘଟଣାକୁ ଗୁରୁତ୍ୱ ନଦେବାରୁ ସେ ନିଜେ ଉଦ୍ୟମ ଆରମ୍ଭ କରିଥିଲେ। ଜଣେ ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ ଠିକାଦାର ସହିତ କଥାବାର୍ତ୍ତା କରି ୬ ଜଣ ଦାଦନ ଶ୍ରମିକଙ୍କୁ ଟ୍ରେନ ଟିକଟ କରି ଫେରାଇ ଆଣିବା ପାଇଁ ସଫଳ ହୋଇଛନ୍ତି। ଉକ୍ତ ଶ୍ରମିକମାନେ ଆଜି ସିକନ୍ଦରାବାଦରୁ କଣ୍ଟାବାଞ୍ଜି ଅଭିମୁଖେ ଟ୍ରେନରେ ବାହାରିଛନ୍ତି। ଅନ୍ୟ ୬ଟି ପରିବାର ଏବେ ମଧ୍ୟ ଠିକାଦାର କବଳରେ ରହିଥିବା ସୂଚନା ମିଳିଛି। ଶ୍ରମିକମାନେ ମୁକୁଲି ଥିବା ଖବର ପାଇବା ପରେ କେଶରୀୟା ହିନ୍ଦୁ ବାହିନୀକୁ ତାଙ୍କର ମହତ ଉଦ୍ୟମ ପାଇଁ ଅଭିନନ୍ଦନର ସୁଅ ଛୁଟିଛି।