ମଲ୍ଲୀପଶିରେ ରଥ କାଠ ଅନୁକୂଳ

ପାଟଣା,ଏନ୍ଏନ୍ଏସ୍: ପବିତ୍ର ଅକ୍ଷୟ ତୃତୀୟା ଅବସରରେ ମଲ୍ଲୀପଶି ସ୍ଥିତ ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ପାଇଁ ବିଧି ଅନୁଯାୟୀ ପୂଜାପାଠ ପୂର୍ବକ ରଥ ନିର୍ମାଣ ନିମନ୍ତେ କାଠ ଅନୁକୂଳ କରାଯାଇଛି। ମୂଷାଖୋରି ସ୍ଥିତ ମା’ ବାସୁଳି ପୀଠରୁ ଆଜ୍ଞାମାଳ ଆଣି ପଣ୍ଡିତ କୁଳମଣି ଷଡ଼ଙ୍ଗୀଙ୍କ ନିର୍ଦ୍ଦେଶରେ ଜଙ୍ଗଲକୁ ଯାଇ ରଥ କାଠ ଅଣି ପୂଜାର୍ଚ୍ଚନା ପରେ ରଥ ଖଳାକୁ କାଠ ଅଣାଯାଇଛି। ରଥ କାଠ ଅନୁକୂଳ ପୂଜା କାର୍ଯ୍ୟକ୍ରମରେ କର୍ତ୍ତା ଭାବେ ପାର୍ଥ ସାରଥୀ ବେଜ କାର୍ଯ୍ୟ ସମ୍ପାଦନ କରିଥିଲେ।

ରଥମହାରଣା ସର୍ବଶ୍ରୀ ସୁଦର୍ଶନ ନାଏକ, ଭାସ୍କର ଦାସ, ଦୁର୍ଯ୍ୟୋଧନ ମହାନ୍ତ, ନିରାକାର ଦାସ, ଭାସ୍କର ଦାସ, ନେତ୍ରମଣି ନାଏକ, ସନାତନ ନାଏକଙ୍କ ଦ୍ଵାରା ଆଜିଠାରୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଛି। କରୋନା ନିୟମକୁ ମାନି ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଏହି ଅବସରରେ ଜଗନ୍ନାଥଙ୍କ ମନ୍ଦିର ପରିସରରେ ଏକ ଦୁର୍ଲଭ ପାରିଜାତ ପୁଷ୍ପ ଫୁଟିଥିବାରୁ ପୁଷ୍ପକୁ ଦେଖିବା ପାଇଁ ଭକ୍ତଙ୍କର ଆଗ୍ରହ ପ୍ରକାଶ ପାଇଥିଲା। ପରେ ପୂଜାର୍ଚ୍ଚନା କରି ଜଗନ୍ନାଥଙ୍କ ନିକଟରେ ଏହି ପୁଷ୍ପ ଅର୍ପଣ କରାଯାଇଥିଲା।