ଖପ୍ରାଖୋଲରେ ଦେଶାନ୍ତର ଶ୍ରମିକ ସମସ୍ୟା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଖପ୍ରାଖୋଲ,ଏନ୍ଏନ୍ଏସ୍: ଆଜି ଖପ୍ରାଖୋଲ ସ୍ଥାନୀୟ ଥାନା ପରିସରରେ ମହିଳା ଏବଂ ଶିଶୁ ବିକାଶ ବିଭାଗ, ୟୁନିସେଫ୍‌, ବଲାଙ୍ଗିର ପୁଲିସ ଏବଂ ଏଡ଼୍‌ଏଟ୍‌ଏକ୍ସସନ ଇଣ୍ଡିଆର ମିଳିତ ଉଦ୍ୟମରେ ଦେଶାନ୍ତର ଶ୍ରମିକ ସମସ୍ୟାର ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଡ଼୍‌ଏଟ୍‌ଏକ୍ସସନର ନିର୍ଦ୍ଦେଶକ ଡ. ଉମି ଡାନିଏଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବଲାଙ୍ଗିର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନିତିନ କୁଶଳକର ଡ଼ାଗୁଡୁ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ରୂପେ ପଟଣାଗଡ଼ ଏସ୍‌ଡ଼ିପିଓ ଜ୍ୟୋତିର୍ମୟ ଭୁକ୍ତା, ଖପ୍ରାଖୋଲ ବ୍ଲକ୍‌ ସାମାଜିକ ସୁରକ୍ଷା ଅଧିକାରୀ କନିଷ୍କ ବିଭାର, ବଲାଙ୍ଗିର ସାଇବର ସେଲ ଇନ୍ସପେକ୍ଟର ଭାରତୀ ନାଏକ, ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ ପ୍ରମୁଖ ଯୋଗଦେଇଥିଲେ।

କାର୍ଯ୍ୟକ୍ରମ ଆରମ୍ଭରେ ସନ୍ଧ୍ୟାରାଣୀ ପତି ସ୍ୱାଗତ ଭାଷଣ ଦେଇଥିବା ବେଳେ ଶିବିରର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଏଡ଼୍‌ଏଟ୍‌ଏକ୍ସସନ ତରଫରୁ ବେଆଇନ ଶ୍ରମିକ ଚାଲାଣ, ଶିଶୁ ଶ୍ରମିକ ଚାଲାଣ ଉପରେ ନିଆ ଯାଉଥିବା ସଚେତନତା କାର୍ଯ୍ୟକ୍ରମ ଉପରେ ଆଲୋଚନା ହୋଇଥିଲା। ଚଳିତ ବର୍ଷ ବେଆଇନ ଶ୍ରମିକ ଚାଲାଣକୁ ସମ୍ପୂର୍ଣ୍ଣ ବନ୍ଦ କରିବା ସହ ରେଳ ଷ୍ଟେସନରେ ମଧ୍ୟ ବଲାଙ୍ଗିର ପୁଲିସର କଡା ନଜର ରଖାଯାଇଛି। ଏଥିସହ ବେଆଇନ ଶ୍ରମିକ ଚାଲାଣ ରୋକିବା ପାଇଁ ସମସ୍ତେ ସହଯୋଗ କରିବାକୁ ଆରକ୍ଷୀ ଅଧିକ୍ଷକ ନିବେଦନ କରିଥିଲେ।

ଏହି ଅବସରରେ ବିଭିନ୍ନ ବ୍ୟକ୍ତି ବିଶେଷ ଶ୍ରମିକ ଚାଲାଣ ଏବଂ ସମସ୍ୟା ଉପରେ ଆଲୋକପାତ କରିଥିଲେ। ଏଡ଼୍‌ଏଟ୍‌ଏକ୍ସସନ କାର୍ଯ୍ୟକ୍ରମର ମ୍ୟାନେଜର ସରୋଜ ବାରିକ, ଜ୍ୟୋତି ପ୍ରକାଶ ବ୍ରହ୍ମା, ଦୟା ସାଗର ପଧାନ, ସିଡ଼ିପିଓ ସୁଜାତା ଦୋରା ସମେତ ଅଙ୍ଗନ ବାଡ଼ି କର୍ମୀ, ଆଶା କର୍ମୀ, ୱାର୍ଡ଼ ମେମ୍ବର ଏବଂ ପୁଲିସ କର୍ମଚାରୀ ଉପସ୍ଥିତ ଥିଲେ।