ଦିଲ୍ଲୀରେ ଫୁଟିବନି ବାଣ!

ନୂଆଦିଲ୍ଲୀ,ଏଜେନ୍ସି: ରାଜଧାନୀ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ଚଳିତ ଥର ଫୁଟିବନି ବାଣ । ଆତସବାଜିରେ କଟକଣା ହଟାଇବାକୁ ମନା କଲେ ସୁପ୍ରିମକୋର୍ଟ । ଦୀପାବଳି ଛୁଟି ପୂର୍ବରୁ ପୁଣିଥରେ ଏହି ମାମଲାରେ ଶୁଣାଣି କରିବେ ସୁପ୍ରିମକୋର୍ଟ । ହେଲେ ପ୍ରଦୂଷଣକୁ ନେଇ ଦିଲ୍ଲୀ ଓ ଏନସିଆର ପାଇଁ ଜାରି କରିଥିବା ନିର୍ଦ୍ଦେଶନାମାରେ ପରିବର୍ତ୍ତନ ହେବ ନାହିଁ ବୋଲି ସିଧାସଳଖ ମନା କରି ଦେଇଛନ୍ତି ମାନ୍ୟବର ଅଦାଲତ ।

ବିଜେପି ନେତା ମନୋଜ ତିୱାରୀ ଦିଲ୍ଲୀରେ ଆତସବାଜିକୁ ଅନୁମତି ଦେବା ପାଇଁ ଯାଚିକା ଦାଖଲ କରିଥିଲେ । ମନୋଜ ତିୱାରୀ ନିଜ ଆବେଦନରେ କହିଥିଲେ ଯେ ସୁପ୍ରିମକୋର୍ଟଙ୍କ ଏଭଳି ନିଷ୍ପତ୍ତି ସଂସ୍କୃତି ବିରୋଧ । ଏଣୁ ମାନ୍ୟବର କୋର୍ଟ ମାମଲାର ପୁନଃର୍ବିଚାର ପାଇଁ ଆବେଦନରେ ଉଲ୍ଲେଖ କରିଥିଲେ ବିଜେପି ନେତା । ଆଜି ସେହି ଆବେଦନର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ଆସନ୍ତା ବର୍ଷ ଜାନୁଆରୀ ୨ ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ ବୋଲି ଶୁଣାଇ ଦେଇଛନ୍ତି କୋର୍ଟ ।

ସୋମବାର ଶୁଣାଣି କରି ନ୍ୟାୟଧୀଶ ଏମ ଆର ଶାହଙ୍କ ବେଞ୍ଚ ସିଧାସଳଖ କହିଛନ୍ତି ଯେ ଆତସବାଜିରେ ପ୍ରତିବନ୍ଧକ ହଟାଇବୁ ନାହିଁ । ଦିଲ୍ଲୀ ଓ ଏନସିଆରକୁ ନେଇ ଯାହା ନିଷ୍ପତ୍ତି ତାହା ଏକଦମ ସ୍ପଷ୍ଟ ବୋଲି କଡା ଭର୍ତ୍ସନା କରିଛନ୍ତି କୋର୍ଟ । କିଛି ବର୍ଷ ଧରି ଦିଲ୍ଲୀରେ ଆତସବାଜିରେ ପ୍ରତିବନ୍ଧକ ଲାଗିଛି ।