ଶ୍ରମିକ ପରିବର୍ତ୍ତେ ମେସିନରେ କରାଗଲା ଏନଆରଜିଏସ କାମ

କୋରୁକୋଣ୍ଡା,ଏନ୍ଏନ୍ଏସ୍: ସାରା ଦେଶରେ ବର୍ତ୍ତମାନ କରୋନାର ଭୟ। ଏହାକୁ ଆଖି ଆଗରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମେ’୩ ପର୍ୟ୍ୟନ୍ତ ସାରା ଦେଶରେ ଲକଡାଉନ ଅବଧିକୁ ବୃଦ୍ଧି କରିଛନ୍ତି। କିନ୍ତୁ କିଛି ଜରୁରୀ ସେବା ଯେପରିକି ଚାଷ କାମ, ପୋଖରୀ ଖୋଳାରେ ଶ୍ରମିକ ନିୟୋଜିତ, ଯାନ ମାଧ୍ୟମରେ ଫସଲ ପରିବହନ, ଏମ୍ଜି ଏନଆରଜିଏସ କାର୍ୟ୍ୟ, ପ୍ରଧାନମନ୍ତ୍ରୀ ଆବାସ ଓ ବିଜୁ ପକ୍କାଘର, କୃଷି ଯନ୍ତ୍ରପାତି, ସାର ବିହନ ଦୋକାନ, ଧାନମଣ୍ଡି ଆଦି କାର୍ୟ୍ୟ କରାଯାଇପାରିବ। ତେବେ ଶ୍ରମିକ ମାନଙ୍କର ଲକଡାଉନରେ ହୋଇଥିବା ଆର୍ଥିକ ଅନଟନ ନିମନ୍ତେ ଏମଜି ଏନଆରଜିଏସ କାମକୁ ତ୍ଵରାନିତ କରାଯାଇଛି। କିନ୍ତୁ ଶ୍ରମିକଙ୍କ ପରିବର୍ତ୍ତେ ଯନ୍ତ୍ରାଂଶରେ ଏମଜି ଏନଆରଜିଏସ କାର୍ଯ୍ୟ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ୍ ଚିତାପାରି ୩ ପଞ୍ଚାୟତ ଅଧିନସ୍ଥ ୧୦୪ ଗ୍ରାମର ଦୁଲାଲ ସରକାର ଓ ଠାକୁରଦାସ ମଣ୍ଡଳଙ୍କ ଜମି ସମତଳ ନିମନ୍ତେ ଏମଜି ଏନଆରଜିଏସ ମାଧ୍ୟମରେ ଦୁଲାଲଙ୍କୁ ୩୦,୦୦୦ ଓ ଠାକୁରଦାସଙ୍କୁ ୩୨, ୦୦୦ ମଞ୍ଜୁର ହୋଇଥିଲା କିନ୍ତୁ ଶ୍ରମିକଙ୍କ ବଦଳରେ ଲେବେଲ ଟ୍ରାକ୍ଟର (ଓଡି-୩୦ସି-୦୮୦୯ ଏବଂ ଏପି-୨୪ଏଏଫ-୮୬୯୪) ମାଧ୍ୟମରେ ଜମି ସମତଳ କରାଯାଉଥିବା ଦେଖିବାକୁ ମିଳିଥିଲା। ଏହି କାର୍ୟ୍ୟକୁ ଗ୍ରାମର ଶ୍ରମିକମାନେ ବନ୍ଦ କରିଥିଲେ। ଏ ନେଇ କୋରୁକୋଣ୍ଡା ବିଡିଓ ଦାଶରଥି ସରାବୁଙ୍କୁ ପଚାରିବାରୁ ସେ ଏହାର ତଦନ୍ତ କରି କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।