ବ୍ରାହ୍ମଣୀଗାଁ,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଧର୍ମାଞ୍ଚଳର କିରାମହା ଠାରେ ପ୍ରତିବର୍ଷ ଭଳି ଏହି ବର୍ଷ ମଧ୍ୟ ଆଶ୍ଚର୍ଯ୍ୟ ପଦକ ମା’ ମେରୀଙ୍କ ପର୍ବ ପାଳନ କରାଯାଇଛି। ଏହି ପର୍ବ ପାଳନ ଅବସରରେ ଧର୍ମାଞ୍ଚଳର ମୁଖ୍ୟ ଯାଜକ ରବି ସଭାସୁନ୍ଦରଙ୍କ ତତ୍ତ୍ୱାବଧାନ ରେ କିରାମହା ଗ୍ରାମବାସୀଙ୍କ ପକ୍ଷରୁ ଏକ ମିଳିତ ଦିବ୍ୟ ଯଜ୍ଞର ଆୟୋଜନ କରାଯାଇଥିଲା ଏଥିରେ ସମ୍ମାନୀତ ଅତିଥି ଭାବେ କଟକ-ଭୁବନେଶ୍ୱର ମହା ଧର୍ମପ୍ରଦେଶର ଭିକାର ଜେନେରାଲ ଫା. ପ୍ରୋଦସ ନାୟକ ଯୋଗଦେଇ ପୌରୋହିତ୍ୟି କରିଥିଲେ। ମୁଖ୍ୟବକ୍ତା ଭାବେ ହେନେରୀ ସିଂ(ଓସିଡ଼ି) ଯୋଗଦେଇ ବାଇବଲରୁ ଈଶ୍ୱରଙ୍କ ବାକ୍ୟ ପ୍ରଚାର କରିଥିଲେ। ସମ୍ମାନୀତ ଅତିଥି ଭାବେ ଯାଜକ ଦେବରାଜ ସିଂ, ମୁକୁନ୍ଦ ସିଂ, ସମେତ ଅନ୍ୟାନ୍ୟ ଧର୍ମାଞ୍ଚଳର ଯାଜକ ବୃନ୍ଦ ଏହି ଦିବ୍ୟ ଯଜ୍ଞରେ ସାମିଲ ହୋଇ ପ୍ରାର୍ଥନା କରିଥିଲେ।
ଯଜ୍ଞ ମଧ୍ୟରେ ଧର୍ମ ଶାସ୍ତ୍ର ବାଇବଲ ଈଶ୍ୱରଙ୍କ ବାକ୍ୟ ପଠନ କରାଯାଇଥିଲା। ଚର୍ଚ୍ଚ ପରିଚାଳନା କମିଟିର ସଭାପତି ନରହରି ପାଲଟା ସିଂ ଓ ସମ୍ପାଦକ ପାଣ୍ଡବ ନାୟକଙ୍କ ନେତୃତ୍ୱରେ ଏହି ପର୍ବ ପାଳନର ଆୟୋଜନ କରାଯାଇଥିଲା। ଗ୍ରାମବାସୀ ଓ ଯୁବକ ଯୁବତୀ ପରିଚାଳନାରେ ସହଯୋଗ କରିଥିଲେ। ବେଦୀ ସାଜସଜ୍ଜାରେ ହୋଲିକ୍ରସ ସଙ୍ଘର ସେବଭଗ୍ନୀ ଗଣ ସହଯୋଗ କରିଥିଲେ। ପ୍ରସନ୍ନ ନାୟକଙ୍କ ସଙ୍ଗୀତ ଦଳ ଯଜ୍ଞ କାଳୀନ ଭକ୍ତି ସଙ୍ଗୀତ ପରିବେଷଣ କରିଥିଲେ ଏବଂ ନିତିନ ସିଂଙ୍କ ଦଳ ବାଦ୍ୟ ଯନ୍ତ୍ର ଚାଳନା କରି ଯଜ୍ଞକୁ ସରସ ସୁନ୍ଦର କରିଥିଲେ। ସଭାପତି ଶ୍ରୀ ପାଲଟା ସିଂ ଅତିଥି ପରିଚୟ ପ୍ରଦାନ କରିବା ସହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିବାବେଳେ ସହକାରୀ ଯାଜକ କପିଳାସ ମଲ୍ଲିକ ସଂଯୋଜନା କରିଥିଲେ। ପାଖାପାଖି ଗ୍ରମରୁ ସତାଧିକ ଶ୍ରଦ୍ଧାଳୁ ଓ ମାନସିକ ଧାରୀ ଏହି ପର୍ବରେ ଯୋଗଦେଇ ଈଶ୍ୱରଙ୍କ ଅନୁଗ୍ରହ ଓ ଆଶୀର୍ବାଦ କାମନା କରିଥିଲେ।