ଦୁବାଇ,ଏଜେନ୍ସି: ଭାରତ ବିପକ୍ଷ ସିରିଜ୍ର ପ୍ରଥମ ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ବ୍ୟାଟର୍ ଆମି ସାଟର୍ଥୱେଟ୍ ଆକର୍ଷଣୀୟ ପ୍ରଦର୍ଶନ ସହ ତୃତୀୟ ସ୍ଥାନକୁ ଉଠିଥିବା ସତ୍ତ୍ୱେ ଭାରତୀୟ କ୍ୟାପ୍ଟେନ୍ ମିତାଲି ରାଜ୍ ମଙ୍ଗଳବାର ପ୍ରକାଶିତ ଆଇସିସି ମହିଳା ଦିନିକିଆ ର୍ୟାଙ୍କିଙ୍ଗ୍ର ବ୍ୟାଟିଂ ସୂଚୀରେ ପୂର୍ବପରି ଦ୍ୱିତୀୟ ସ୍ଥାନ ବଜାୟ ରଖିଛନ୍ତି। ଭାରତ ପରାଜିତ ହୋଇଥିବା ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ମ୍ୟାଚ୍ରେ ମିତାଲି ୭୩ ବଲ୍ରେ ୫୯ ରନ୍ର ଇନିଂସ୍ ଖେଳିଥିଲେ।
୬୭ ବଲ୍ରେ ୬୩ ରନ୍ର ଇନିଂସ୍ ଖେଳିବା ସହିତ ତୃତୀୟ ୱିକେଟ୍ରେ ସୁଜି ବେଟ୍ସଙ୍କ ସହ ଗୁରୁତ୍ୱପୂର୍ଣ୍ଣ ୯୮ ରନ୍ ଯୋଡ଼ିଥିବା ସାଟର୍ଥୱେଟ୍ ଅଷ୍ଟ୍ରେଲିଆର ବେଥ୍ ମୁନିଙ୍କଠାରୁ ୧୩ ରେଟିଂ ପଏଣ୍ଟ ଅଧିକ ପାଇଛନ୍ତି। ସେ ଏବେ ଦ୍ୱିତୀୟ ସ୍ଥାନରେ ଥିବା ମିତାଲି (୭୪୪)ଙ୍କଠାରୁ ୧୫ ପଏଣ୍ଟ ପଛରେ ରହିଛନ୍ତି। ଏହି ସୂଚୀରେ ଅଷ୍ଟ୍ରେଲିଆର ଆଲିସା ହିଲି ୭୪୯ ପଏଣ୍ଟ ସହ ଶୀର୍ଷ ସ୍ଥାନରେ ରହିଛନ୍ତି। ପ୍ରଥମ ମ୍ୟାଚ୍ରେ ୧୧ଶ ଦିନିକିଆ ଶତକ ହାସଲ କରିଥିବା ସୁଜି ବେଟ୍ସ ଗତ ଛଅ ମାସରେ ପ୍ରଥମ ଥର ପାଇଁ ଶୀର୍ଷ ୨୦ରେ ପ୍ରବେଶ କରିଛନ୍ତି। ଇଂଲଣ୍ଡର ଟାମି ବିଉମଣ୍ଟ୍ ଓ ଅଷ୍ଟ୍ରେଲିଆର ମେଗ୍ ଲାନିଙ୍ଗ୍ ଯଥାକ୍ରମେ ସୂଚୀର ଚତୁର୍ଥ ଓ ପଞ୍ଚମ ସ୍ଥାନରେ ରହିଛନ୍ତି।
ବୋଲିଂ ସୂଚୀରେ ଇଂଲଣ୍ଡ ସ୍ପିନର୍ ସୋଫି ଏକ୍ଲେଷ୍ଟୋନ୍ ଦ୍ୱିତୀୟ ସ୍ଥାନକୁ ଉଠିଛନ୍ତି। ଟି-୨୦ ବୋଲିଂ ର୍ୟାଙ୍କିଙ୍ଗ୍ର ଶୀର୍ଷ ସ୍ଥାନରେ ଥିବା ଏକ୍ଲେଷ୍ଟୋନ୍ଙ୍କ ନିକଟରେ ଏବେ ସୂଚୀର ଶୀର୍ଷକୁ ଉଠିବାର ସୁଯୋଗ ରହିଛି। ଅଲ୍ରାଉଣ୍ଡର୍ ସୂଚୀରେ ନାଟାଲି ସ୍କିଭର୍ଙ୍କୁ ପଛରେ ପକାଇ ଏଲିସ୍ ପେରୀ ୮୭ ରେଟିଂ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ପହଞ୍ଚିଛନ୍ତି। ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡର ଲିଆ ତାହୁହୁ ୪ଟି ସ୍ଥାନର ଉନ୍ନତି ସହ ତ୍ରୟୋଦଶ ଏବଂ ଭାରତର ରାଜେଶ୍ୱରୀ ଗାଏକ୍ୱାଡ୍ ୫ଟି ସ୍ଥାନର ଉନ୍ନତି ସହ ୧୬ ନଂରେ ପହଞ୍ଚିଛନ୍ତି।
ଟି-୨୦ ର୍ୟାଙ୍କିଙ୍ଗ୍ରେ ବେଥ୍ ମୂନୀ ତୃତୀୟ ଥର ପାଇଁ ବ୍ୟାଟିଂ ସୂଚୀର ଶୀର୍ଷକୁ ଫେରିଥିବା ବେଳେ କ୍ୟାପ୍ଟେନ୍ ମେଗ୍ ଲାନିଙ୍ଗ୍ ଦ୍ୱିତୀୟକୁ ଉନ୍ନୀତ ହୋଇଛନ୍ତି। ସେହିପରି ଭାରତୀୟ ଓପ୍ନର୍ ଶେଫାଳୀ ବର୍ମା ସୂଚୀର ତୃତୀୟ ସ୍ଥାନରେ ରହିଛନ୍ତି। ବୋଲିଂରେ ନ୍ୟୁଜିଲାଣ୍ଡର ଆମେଲିଆ କେର୍ ୫ଟି ସ୍ଥାନ ଉପରକୁ ଉଠି ଅଷ୍ଟମରେ ଏବଂ ତାଙ୍କ ଭଉଣୀ ଜେସ୍ କେରୀ ୧୬ଟି ସ୍ଥାନ ଉପରକୁ ଉଠି ୩୪ ନଂ.ରେ ପହଞ୍ଚିଛନ୍ତି।